November 18, 2025

Sabubarga Khabar

All category news

ମଜଦୁର ସଂଘ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ

ଜୟପୁର,୩୧/୮(ସଖପ୍ର): ଭାରତୀୟ ମଜଦୁର ସଂଘ, କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଠିକା ଶ୍ରମିକ ଓ ସେବା ପେପର ମିଲ୍ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଦୁଇଟି ଦାବିପତ୍ର ଦିଆଯାଇଥିଲା। ଏଥିରେ ଜିଲ୍ଲା ସମ୍ପାଦକ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ, ଜିଲ୍ଲା ଅଧ୍ୟକ୍ଷ ଏ.ଭୀମା ରାଓ, ଜିଲ୍ଲା ସଂଘର ଉପଦେଷ୍ଟା ତଥା ଅଖିଳ ଭାରତୀୟ ଠିକା ମହାସଂଘର ଉପାଧ୍ୟକ୍ଷ ସୁଧାଂଶୁ କୁମାର ପାଢ଼ୀ, କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ଖରା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀନିବାସ ଷଡ଼ଙ୍ଗୀ, ହାଲ୍ ଠିକା ସଂଘର ଉପସଭାପତି ପିଣ୍ଟୁ କର, ବୁଢ଼ା ଦୋରା ପ୍ରମୁଖ ଭାଗ ନେଇ ଜୟପୁର କାଗଜକଳ ଓ ଦାମନଯୋଡ଼ି ନାଲକୋ, ସୁନାବେଡ଼ା ହାଲର ଶହ ଶହ ଠିକା ଶ୍ରମିକ ଶୋଭାଯାତ୍ରା କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ଏହାକୁ ଗ୍ରହଣ କରିଥିଲେ | କାଗଜକଳ ପାଇଁ ଭାରତୀୟ ମଜଦୁର ସଂଘ ପକ୍ଷରୁ ୭ଦଫା ଦାବିପତ୍ର ଦିଆଯାଇଥିଲା | ତୁରନ୍ତ କାଗଜକଳକୁ କାର୍ଯ୍ୟକ୍ଷମ କରାଇବା, ବକେୟା ଦରମା ପ୍ରଦାନ, ନିୟମିତ ଦରମା, ଇପିଏଫ୍ ଓ ଇଏସଚଆଇ ଆଦି ଦରମାରେ ଜମା କରିବା, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ବକେୟା, ଭତ୍ତା ପ୍ରଦାନ ରହିଛି। ସେଭଳି ଓଡ଼ିଶା ଠିକା ମଜଦୁର ସଂଘ ପକ୍ଷରୁ ୫ଦଫା ଦାବିପତ୍ର ଦିଆଯାଇଥିଲା | ଏଥିରେ ଠିକା ପ୍ରଥା ଉଚ୍ଛେଦ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରି ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ପାଳନ କରିବା, ଅବସରକାଳୀନ ସମୟ ୫୮ରୁ ୬୦କୁ ବୃଦ୍ଧି କରିବା, ସର୍ବନିମ୍ନ ମାସିକ ଦରମା ୨୧ହଜାର କରିବା ପାଇଁ ଦାବି ରହିଛି।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.