01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭୁଷୁଡିଲା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ, ନିମ୍ନମାନର କାମ ଅଭିଯୋଗ

ନବରଂଗପୁର(ସଖପ୍ର): ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପରେ ଜଳଯୋଗାଣ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। ପ୍ରଥମ ଥରର ଜଳଯୋଗାଣ ସମୟରେ ହିଁ କୋକସରା ବ୍ଳକ ମାଝିଗୁଡା ଠାରେ ଏହି ପ୍ରକଳ୍ପର କେନାଲ ବନ୍ଧ ଭାଙ୍ଗିଯିବାରୁ ପ୍ରାୟ ୫୦ ହେକ୍ଟର ଜମି ବାଲିଚର ହେବା ସହ ୧୦୦ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ଆଶଙ୍କା କରାଯାଉଛି। ଖବର ପାଇ ପ୍ରଶାସନିକ ଅଧିକାରୀ ସମେତ ଉଠାଜଳସେଚନ ବିଭାଗର ଯନ୍ତ୍ରୀ ଓ କାମ ସଂପାଦନା କରିଥିବା ସଂସ୍ଥାର ଅଧିକାରୀ ଉପସ୍ଥିତ ରହି ତଦାରଖ କରୁଛନ୍ତି। ତେବେ ନିମ୍ନମାନର କାମ ଯୋଗୁଁ କେନାଲ ବନ୍ଧ ଭାଙ୍ଗିଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଠିକା ସଂସ୍ଥା ନିଜେ କାର୍ଯ୍ୟ ସଂପାଦନା କରିବା ବଦଳରେ ପେଟି ଠିକାଦାର ନିୟୋଜିତ କରିବା ଯୋଗୁଁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତ୍ରୀରେ ଏହି କେନାଲ ବନ୍ଧ ଭାଙ୍ଗିଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ କଳାହାଣ୍ଡିକୁ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ଜଳସେଚନ ହେବା ପରେ ବାଦ ପଡିଥିବା ଅଂଚଳରେ ବି ଜଳସେଚନ ନେଇ ସ୍ୱର ଉଠିଥିଲା। ବିଭିନ୍ନ ସମୟରେ ଏହି ସ୍ୱର ଆନ୍ଦୋଳନର ରୂପ ନେଇଥିଲା। ଦୀର୍ଘ ଦିନର ଲୋକଙ୍କ ଦାବୀ ପରେ ସରକାର ଇନ୍ଦ୍ରାବତୀରୁ ଉଠା ଜଳସେଚନ ମାଧ୍ୟମରେ କୋକସରା,ଧର୍ମଗଡ,ଜୟପାଟଣା ଅଂଚଳର ଅଣଜଳସେଚିତ ଜମିକୁ ଜଳସେଚନ କରାଇବା ପ୍ରସ୍ତାବ ଅନୁମୋଦନ କରି ଏଥିପାଇଁ ବ୍ୟୟବରାଦ କଲେ ଏବଂ ୨୦୧୪ ନିର୍ବାଚନ ପୂର୍ବରୁ ଲଡୁଗାଁ ଠାରେ ଏହାର ଶିଳାନ୍ୟାସ କରିଥିଲେ। ୬୫୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାମ ଏଲ ଆଣ୍ଡଟି ନାମକ ରାଜ୍ୟ ବାହାରର ଏକ ସଂସ୍ଥା ହାତେଇଥିଲା। କୋକସରା,ଜୟପାଟଣା,ଧର୍ମଗଡ ଅଂଚଳର ୯୧ଟି ଗାଁର ୨୬୨୭୫ ହେକ୍ଟର ଜମିକୁ ଏହି ପ୍ରକଳ୍ପ ମାଧ୍ୟମରେ ଜଳସେଚନ ସୁବିଧା ରହିଛି। ଏହି ପ୍ରକଳ୍ପ ଏ ଅଂଚଳ ପାଇଁ ଗୁରୁତ୍ୱ ବହନ କରୁଥିବାବେଳେ ୨୦୨୦ ଜାନୁୟାରୀ ୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳପୁର ବ୍ୟାରେଜ ଠାରେ ଏହାର ଲୋକାର୍ପଣ କରିଥିଲେ। ଲୋକାର୍ପଣ ପୂର୍ବରୁ କଳାହାଣ୍ଡି ଜିଲ୍ଲା ମିନି ରାଜଧାନୀ ପାଲଟିଯାଇଥିଲା। ପ୍ରାୟ ୫୦ ଜଣ ବିଧାୟକ ଜଳସେଚତି ହେବାକୁ ଥିବା ଗାଁ ଗାଁ ବୁଲି ଏହି ପ୍ରକଳ୍ପ ସଂପର୍କରେ ପ୍ରଚାର କରିବା ସହ ଲୋକାର୍ପଣ ଦିନ ପରଦା ମାଧ୍ୟମରେ ସେଇ ଗାଁମାନଙ୍କରେ ଏହାର ସିଧା ପ୍ରସାରଣ କରାଯାଇଥିଲା। ପ୍ରକଳ୍ପ କାମ ସଂପୂର୍ଣ୍ଣ ନହେବା ପୂର୍ବରୁ ଅତି ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ। ପ୍ରଥମ ଥର ପାଇଁ ଚଳିତ ଖରିଫ ଋତୁରେ ଏହି କେନାଲରେ ପାଣି ଛଡାଯାଇଥିଲା।
ପାଣି ଦେଖିବା ପରେ ଚାଷୀ ମନରେ ଅନେକ ଆଶା ସଂଚାର ହୋଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ ଚାଷୀ ଏବେ କ୍ଷତିଗ୍ରସ୍ତ ହୋଇଛି। ବିଳମ୍ବିତ ରାତ୍ରୀରେ ଏହି ପ୍ରକଳ୍ପର ମୁଖ୍ୟ କେନାଲ ମାଝିଗୁଡା ଠାରେ ଘାଇ ସୃଷ୍ଟି ହୋଇ ଭୁଷୁଡିଯିବା ଫଳରେ ୫୦ ଏକର ଜମି ବାଲିଚର ହେବା ସହ ୧୦୦ହେକ୍ଟର ଜମି ଜଳମଗ୍ନ ହେବା ଅନୁମାନ କରାଯାଉଛି। ବର୍ତ୍ତମାନ ରୂଆ ବେଉଷଣ କାମ ଚାଲିଥିବାବଳେ ଚାଷୀ ଏଥିପାଇଁ ଧାରକରଜ କରି କାମ ଆରମ୍ଭ କରିଥିଲା। ବାଲିଚର ହେବା ଫଳରେ ଚାଷୀ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି।ଏହି ବହୁମୂଖୀ ପ୍ରକଳ୍ପର କାମ ମୂଳ ଠିକା ସଂସ୍ଥା ନିଜେ କାର୍ଯ୍ୟ ସଂପାଦନା କରିବା ବଦଳରେ ପେଟି ଠିକାଦାର ନିୟୋଜିତ କରିଥିଲା। ସଂସ୍ଥା ନିଜେ କିଛି ଲାଭ ରଖି ପେଟି ଠିକାଦାରମାନଙ୍କୁ କାମ ବାଣ୍ଟିଥିବାବେଳେ ସେଇ ପେଟି ଠିକାଦାରମାନେ ପୁଣି ନିଜ ଲାଭ ରଖି କାମ କଲେ। ଫଳରେ ଶହେ ପ୍ରତିଶତ କାମ ହେବା ବଦଳରେ ୪୦-୫୦ ପ୍ରତିଶତ କାମ ହେଲା। କାମ ଚାଲିଥିବାବେଳେ କୌଣସି ବିଭାଗୀୟ ଅଧିକାରୀମାନେ କାର୍ଯ୍ୟସ୍ଥଳୀକୁ ତଦାରଖ ପାଇଁ ଗଲେ ନାହିଁ। ଯାହାଦ୍ୱାରା ମୂଳ ସଂସ୍ଥା ଓ ପେଟି ଠିକାଦାରମାନେ ମନଇଚ୍ଛା କାମ କଲେ। ଯାହାର ପରିମାଣ ଶନିବାର ଦେଖିବାକୁ ମିଳିଛି। ଖବର ପାଇ ଧର୍ମଗଡ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସମେତ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର କର୍ମକର୍ତ୍ତମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହର ମରାମତି କରାଯିବ ବୋଲି ଧର୍ମଗଡ ଉପଜିଲ୍ଲାପାଳ ପ୍ରକାଶ କରିଥିବାବେଳେ କ୍ଷୟକ୍ଷତିର ଆକଳନ ସରିବା ପରେ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି କୋକସରା ତହସିଲଦାର ମନୋଜ ପାଢ଼ୀ ପ୍ରକାଶ କରିଛନ୍ତି।

ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *