ଭୁତ କୋଠି ପାଲଟିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା ବିଲଡିଙ୍ଗ…
ମାଲକାନଗିରି: ଭୂତକୋଠି ପାଲଟିଛି ମେଡିକାଲ ! ରାତିରେ ଶୁଭୁଛି ପ୍ରେତର ସ୍ବର ! ଦିନେ ଶହ ଶହ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା ବିଲଡିଂ ଏବେ ପାଲଟିଛି ଭୂତକୋଠି । ରାତି ହେଲେ ଏଠାରୁ ଅଦ୍ଭୁତ ପ୍ରକାରର ଶବ୍ଦ ଶୁଭୁଥିବା ଅଭିଯୋଗ ଆସୁଛି । ସନ୍ଧ୍ୟା ହେଲେ ମେଡିକାଲ ନିକଟରେ ରହୁଥିବା ଲୋକଙ୍କ ତାଟି କବାଟ ପଡିଯାଉଛି । ସେପଟେ ଖାଲିଥିବା ମେଡିକାଲର ଫାଇଦା ନେଇ ରାତିରେ ଜମୁଛି ଅସମାଜିକଙ୍କ ଆଡ୍ଡା । ଯାହା ଏଠାରେ ପଡିଥିବା ମଦବୋତଲ, ଗଞ୍ଜେଇ ଓ ସିଗାରେଟ ପ୍ୟାକେଟରୁ ସ୍ପଷ୍ଟ ଜଣାପଡୁଛି ।ଭୂତକୋଠି ପାଲଟିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଏହି ଖବର ଆମ ପାଖରେ ପହଞ୍ଚିବା ପରେ ସତ୍ୟାସତ୍ୟ ପରିଖିବା ପାଇଁ ଉଭୟ ଦିନରେ ଓ ରାତିରେ ଆମ ସମ୍ବାଦଦାତା ମେଡିକାଲ ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ଲଗାଯାଇଥିବା କବାଟ କାଚ ଭାଙ୍ଗିଥିବାରୁ ସେଥିରେ ଗଳି ଭିତରକୁ ପଶିଥିଲେ । ଘଟଣାର ଟିକନିକ ଖବର ସଂଗ୍ରହ ପରେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିଲେ ଆମ ପ୍ରତିନିଧି । ଆଉ ଏହା ପରେ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇ ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରକୁ ସୁରକ୍ଷା ଯୋଗାଇବା ଲାଗି କହିଛନ୍ତି ।
7 ମହଲା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେବା ପରେ କୋଟି କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ବିଶାଳ କାୟ କୋଠାକୁ କେହି ପଚାରୁନାହାନ୍ତି । ତେବେ ଏହି ଘରର ସଠିକ୍ ରକ୍ଷଣାବେକ୍ଷଣ ସହ କୌଣସି ଘରୋଇ ଡାକ୍ତରଖାନାକୁ ଲିଜ୍ ଆକାରରେ ଦେବାକୁ ଦାବି ହେଉଛି ।
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ