ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ,ତାଙ୍କ ଗାଡିରୁ ମିଳିଲା ୧୧ଲକ୍ଷ ଟଙ୍କା
ଜୟପୁର ୨/୭(ସଖପ୍ର)- କୋରାପୁଟ ଜିଲା ଉପ କୃଷି ନିର୍ଦ୍ଦେଶକ ପ୍ରଦୀପ ମହାନ୍ତିଙ୍କ ଗାଡ଼ିରୁ ଗୁରୁବାର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏହାପରେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଏସ୍ପି କାର୍ଯ୍ୟାଳୟଠାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ପ୍ରଦୀପଙ୍କ ବଦଳି ହୋଇଥିବା ବେଳେ ସେ ରିଲିଭ୍ ହୋଇ ଭୁବନେଶ୍ୱର ଯାଉଥିଲେ। ସେ ଏକ ଭଡା ଗାଡିରେ ଜୟପୁରରୁ ଭୁବନେଶ୍ୱର ଯାଉଥିବାବେଳେ ଦେଓଘାଟି ନିକଟରେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ତାଙ୍କ ଗାଡି ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ତାଙ୍କ ନିକଟରୁ ୧୧ଲକ୍ଷ ୩୧ ହଜାର ୩୬୦ ଟଙ୍କା ଜବତ କରାଯାଇଛି । ତାଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଟଙ୍କାକୁ ନେଇ ପଚରାଉଚରା କରାଯାଉଛି।