02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବ୍ୟାରିକେଟ୍ ଭାଙ୍ଗି ଖସି ପଳାଇବାକୁ ଉଦ୍ୟମ କରୁଥିବା ସ୍କର୍ପିଓ ଗାଡିକୁ ଧରିଲା ଛତିଶଗଡ଼ ପୋଲିସ।

ଜୟପୁର(ସଖପ୍ର): ଅବିଭକ୍ତ କୋରାପୁଟ ଜିଲ୍ଲା କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଘୋଷଣା କରାଯାଇଥିବାବେଳେ ଆନ୍ଧ୍ର, ଓଡିଶା, ଛତିଶଗଡ଼ ୩ ରାଜ୍ୟର ସୀମାକୁ ସିଲ କରାଯାଇଛି । ଏପରି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଣେ ଯୁବକ ସ୍କର୍ପିଓ ଗାଡ଼ିରେ ୩ ରାଜ୍ୟର ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରୁଥିଲା। ୩ ରାଜ୍ୟର ପୋଲିସ ଦ୍ୱାରା କରାଯାଇଥିବା ବ୍ୟାରିକେଟ୍ ଭାଙ୍ଗିବା ପରେ ଶେଷରେ ଛତିଶଗଡ଼ ରାଜ୍ୟ କୋଣ୍ଟା ଠାରେ ସିଆରପିଏଫ ଯବାନ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେ ଯବାନ ଉପରକୁ ଗାଡି ଚଢାଇ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଯବାନ ଗୁଳି ଚଳାଇଥିଲେ । ଏଥିରେ ସେ ଗୁରୁତର ଆହତ ହୋଇ ରାସ୍ତା କଡ଼କୁ ଗାଡି ସହ ଖସି ପଡିଥିଲେ। ଆହତ ଗାଡି ଚାଳକକୁ ଯବାନ ମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଗଦଲପୁର ଚିକିତ୍ସା ପାଇଁ ନେଇଥିଲେ । କେଉଁ କାରଣରୁ ଗାଡି ଚାଳକ ଏପରି ବ୍ୟାରିକେଟ୍ ଭାଙ୍ଗି ଯାଉଥିଲେ ସେ ନେଇ ତଦନ୍ତ ଜାରି ରହିଛି । ଗତକାଲି ଧଳା ରଙ୍ଗର ଏମଏଚ-୨୭-ଡ଼ିଏ-୬୩୩୨ ନମ୍ବର ସ୍କର୍ପିଓ ଗାଡି ପଡୋଶୀ ଆନ୍ଧ୍ର ପ୍ରଦେଶର ଚିନ୍ତୁର ଠାରେ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଓଡିଶା ଓ ଛତିଶଗଡ ରାଜ୍ୟ ଦେଇ ନିଜ ରାଜ୍ୟକୁ ଖସି ଯିବାକୁ ଉଦ୍ୟମ କରୁଥିଲା । ଓଡିଶା ସୀମା ପଡିଆ ଥାନା ଦରନାପାଲ ବ୍ରିଜ ଦେଇ ଛତିଶଗଡ ଇଞ୍ଜରାମ, ଏରାବୋରାରେ ବ୍ୟାରିକେଟ୍ ଭାଙ୍ଗି ତେଲେଙ୍ଗାନା ରାଜ୍ୟ ଦେଇ ଖସି ଯିବାକୁ ଚାହୁଁ ଥିବାବେଳେ କୋଣ୍ଟା ଠାରେ ସିଆରପିଏଫ ଯବାନ ମାନେ ଗାଡି ଅଟକାଇବାକୁ ଚେଷ୍ଟାକରିଥିଲେ । କିନ୍ତୁ ଗାଡି ନ ରହିବାରୁ ଗୁଳି ଚଳାଇଥିଲେ । ଗୁଳି ଗାଡି ଚଳାଉଥିବା ବ୍ୟକ୍ତିର ଅଣ୍ଟା ରେ ଲାଗିଥିଲା । ଏହାପରେ ତାକୁ କାବୁ କରି ଧରିଥିଲେ । ଗାଡି ମହାରାଷ୍ଟ୍ରର ହୋଇଥିବା ବେଳେ ଆହତ ବ୍ୟକ୍ତି ଜଣଙ୍କ ଅମରାବତୀ ଜିଲ୍ଲା ସୁଲତାନପୁର ଅଞ୍ଚଳର ହନୁମନ୍ତ ମୋହିତ ବୋଲି ଜଣାପଡିଛି ।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *