ବୋରିଗୁମ୍ମା ସାପ୍ତାହିକ ହାଟ ସ୍ଥାନାନ୍ତର
କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): କରୋନାର ଦ୍ଵିତୀୟ ଲହରୀର ଭୟାଭୟତାକୁ ଦେଖି ବୋରିଗୁମ୍ମାରେ କୋଭିଡ କଟକଣାକୁ କଡାକଡି ପାଳନ କରୁଛି ପ୍ରଶାସନ। କିଛି ଦିନ ହେବ ବୋରିଗୁମ୍ମା ସହରରେ ନାଇଟ କର୍ଫ୍ୟୁକୁ କଡାକଡି ପାଳନ କରାଯାଉଛି। ସହରର ରାସ୍ତା କଡ଼ରେ ବୁଧବାର ସାପ୍ତାହିକ ହାଟ ବସୁଥିବା ବେଳେ,ଶହ ଶହ ଲୋକଙ୍କ ଭିଡ଼ ସାଙ୍ଗକୁ ଅନେକ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହେବାସଙ୍ଗେ ଘଣ୍ଟା ଘଣ୍ଟା ଧରି ବୁଧବାର ଦିନ ଏହି ରାସ୍ତାରେ ତଥା ବୋରିଗୁମ୍ମା ସାପ୍ତାହିକ ହାଟରେ ଟ୍ରାଫିକ ଜାମ ହେବାର ଦୃଶ୍ୟ ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ଏବେ ସାରା ଦେଶରେ କରୋନାର କରାଳ ରୂପ ଦେଖିବାକୁ ମିଳିଛି। ଯେଉଁ ଭଳି ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାକୁ ଲାଗିଛି ଏହାକୁ ନେଇ ଜନଜୀବନ ପ୍ରଭାବିତ ହୋଇପଡିଛି। ଏହି ବୋରିଗୁମ୍ମା ସାପ୍ତାହିକ ହାଟରେ ହାଟ ଦିନ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ଯାହାକୁ ନେଇ ଆଜି ବୋରିଗୁମ୍ମା ତହସିଲଦାର ସୁବାଷ ଚନ୍ଦ୍ର ରାଇତା ଏବଂ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳଙ୍କ ଟିମ ମିଳିତ ଭାବେ ରାସ୍ତା କଡ଼ରୁ ସାପ୍ତାହିକ ହାଟକୁ ଉଠାଇ ପୁରୁଣା ବୋରିଗୁମ୍ମା ଠାରେ ନିୟନ୍ତ୍ରିତ ବଜାର କମିଟି ତରଫରୁ ନିର୍ମିତ ନୂତନ ସ୍ଥାନରେ ସାପ୍ତାହିକ ହାଟକୁ ସ୍ଥାନାନ୍ତରିତ କରାଯାଇଛି।ସମସ୍ତ ହାଟ ବେପାରୀ ମାନେ ନୂତନ ସ୍ଥାନରେ ବସି ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି। ସେହିପରି ରାଜପଥ କଡ଼ରେ ଥିବା ଆମ୍ବ ବ୍ୟବସାୟୀଙ୍କୁ ମଧ୍ୟ ନୂତନ ବସଷ୍ଟାଣ୍ଡ ନିକଟକୁ ସ୍ଥାନାନ୍ତର କରାଯାଇଛି। ଆଗକୁ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରାଇତା କହିଛନ୍ତି।ଅନ୍ୟପଟେ ଲୋକଙ୍କୁ ବୁଝାସୁଝା କରି ରାସ୍ତା କଡ଼ରୁ ହାଟ ସ୍ଥାନାନ୍ତର କରାଯାଇଛି ବୋଲି ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି। ସେପଟେ ନୂତନ ସପ୍ତାହିତ ହାଟ ସ୍ଥାନ ଠିକ ଅଛି କିନ୍ତୁ ବୁଧବାର ଦିନ ହାଟପଦା ରୋଡ଼ରେ ଦୋକାନକୁ ବନ୍ଦ ରହିବାକୁ ଦାବି କରିଛନ୍ତି ହାଟ ବ୍ୟବସାୟୀ।
ପ୍ରତିନିଧି ସୀମାଦ୍ରି ଶ୍ରୀନିବାସ ରାଓ