ବୋରିଗୁମ୍ମା ଭୈରବ ମନ୍ଦିରରୁ ଲୋକ ମହୋତ୍ସବ ପରବ-୨୦୨୩ ଶୁଭାରମ୍ଭ
ବୋରିଗୁମ୍ମା ୩/୧୧ (ସଖପ୍ର): କୋରାପୁଟ ଜିଲ୍ଲାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବାର୍ତ୍ତା ବହନ କରୁଥିବା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ’-୨୦୨୩ ଆଜି ଉଦ୍ଘାଟିତ ହୋଇଯାଇଛି। ବୋରିଗୁମ୍ମାର ଆରାଧ୍ୟ ଦେବତା ଭୈରବ ମନ୍ଦିରରୁ ଉତ୍ସବର ଶୁଭାରମ୍ଭ ହୋଇଛି। । ପୂଜାର୍ଚ୍ଚନା ପରେ ଭୈରବ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ବୋରିଗୁମ୍ମା ସହର ପରିକ୍ରମା କରିଥିଲା। ମେଇନ୍ ରୋଡ୍, ଦାସିରି ସାହି, ନୂଆ ବସଷ୍ଟାଣ୍ଡ, ଥାନା ସମ୍ମୁଖ ହୋଇ ଶୋଭାଯାତ୍ରା ମିନି ଷ୍ଟାଡିୟମରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ। ଢ଼େମସାର ତାଳେ ତାଳେ ନେତା, ଜନତା ସଭିଏ ନାଚିଥିଲେ। ମିନି ଷ୍ଟାଡିୟମରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତରଙ୍କ ସଭାପତିତ୍ବରେ ସାଧାରଣ ସଭା ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ୍ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷ ଚନ୍ଦ୍ରଶେଖର ମାଝି, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ପଟ୍ଟାଙ୍ଗି ବିଧାୟକ ପୀତମ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, କେସିସି ବ୍ୟାଙ୍କ ସଭାପତି ଈଶ୍ବର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୁନି ସାମନ୍ତରାୟ, କୋରାପୁଟ ଏସ୍ପି ଅଭିନବ ସୋନକାର ମଞ୍ଚାସୀନ ଥିଲେ। କୋରାପୁଟ ଜିଲ୍ଲାରେ ପରବ ୨୫ ବର୍ଷ ପୂର୍ତ୍ତ ହୋଇ ୨୬ ବର୍ଷରେ ପଦାର୍ପଣ କରିସାରିଛି। ଜିଲ୍ଲାର ପୁରୁଣା ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଦିନକୁ ଦିନ ଲୋପ ପାଇ ଆସୁଥିବା ବେଳେ ଏହାକୁ ବଜାୟ ରଖିବା ‘ପରବ’ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ କହିଥିଲେ।କୋରାପୁଟ ପରବ ଏବେ ରାଜ୍ୟସ୍ତରୀୟ ମହୋତ୍ସବ ହୋଇସାରିଲାଣି|
ମୋ ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମାରେ ଜିଲ୍ଲାସ୍ତରୀୟ “ପରବ”ର ଶୁଭାରମ୍ଭ ହୋଇଥିବାରୁ ମୁଁ ବହୁତ ଖୁସି ବୋଲି ବିଧାୟକ ଶ୍ରୀ ବାହିନୀପତି ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ପରବ ପୋଷ୍ଟରକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କୋଟପାଡ଼ ଏନଏସି ଅଧ୍ଯକ୍ଷ ଏମ୍.ଶଙ୍କର ରାଓ, ଜିଲ୍ଲା ବିଜେଡି ସଭାପତି ଝିନ ହିକକାଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ବୋରିଗୁମ୍ମା ଏସ୍ଡିପିଓ ଶୁଭେନ୍ଦୁ ଶବର, ଥାନା ଅଧିକାରୀ ଯୁଗଳ କିଶୋର ସା ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ପରିଚାଳନାର ତରାଦଖ କରିଥିଲେ। ବୋରିଗୁମ୍ମାବିଡିଓ ବିକ୍ରମ କୁମାର ଦୋରା, ଜୟପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରଣୟ ରଞ୍ଜନ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Very nice news