November 18, 2025

Sabubarga Khabar

All category news

ବେକାରୀ ଯୁବପୀଢିଙ୍କୁ ଏସପି ସାରା ଶର୍ମାଙ୍କ ଭେଟି, ‘ଉଡାନ-2’ ଆରମ୍ଭ

ପାରଳାଖେମୁଣ୍ଡି: ପ୍ରଥମ ବର୍ଷର ସଫଳତା ପରେ ଗଜପତି ଏସପି ସାରା ଶର୍ମାଙ୍କ ଅଭିନବ ପ୍ରୟାସ ଉଡାନ କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣ ଆରମ୍ଭ ହୋଇଛି । ଶୁକ୍ରବାର ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଏହାର ଉଦଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଗଜପତି ଏସପିଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ଏହାର ଲାଭ ନେବା ପାଇଁ ଆଗେଇ ଆସିବାକୁ କହିଛନ୍ତି।
ଆଦିବାସୀ ପିଲାଙ୍କୁ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଦେବା ଦିଗରେ ପୋଲିସର ଏଭଳି ପଦକ୍ଷେପ ଲୋକଙ୍କ ଆସ୍ଥା ବଢାଇବା ସହ ପିଲା ଉପକୃତ ହୋଇପାରିବେ। ଗ୍ରାମାଞ୍ଚଳରେ ବହୁ ପ୍ରତିଭାବାନ ଯୁବକ ଯୁବତୀ ଅଛନ୍ତି । ହେଲେ ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ବିଭିନ୍ନ ସାକ୍ଷାତକାରରେ ସେମାନେ ବିଫଳ ହେଉଛନ୍ତି। ଯଦିଓ ନିଜ ଉଦ୍ୟମରେ କିଛି ପିଲା ସଫଳତା ପାଉଛନ୍ତି, କିନ୍ତୁ ଏହାର ହାର ବହୁତ୍ କମ୍ । ଅଧିକାଂଶ ଯୁବକ ଯୁବତୀ ବିଫଳ ହେବାର ମୁଖ୍ୟ କାରଣ ହେଉଛି , କିଭଳି ପ୍ରସ୍ତୁତ ହେବେ ସେନେଇ କୌଣସି ଜ୍ଞାନ ସେମାନଙ୍କ ନିକଟରେ ନଥାଏ ।

ବାରମ୍ବାର ସାକ୍ଷାତକାରରେ ବିଫଳ ହୋଇ ଅନେକ ବିପଥଗାମୀ ମଧ୍ୟ ହୁଅନ୍ତି । ଯାହାକି ଦେଶ ପାଇଁ ଏକ ଚିନ୍ତାର କାରଣ । ତେଣୁ ଏହାକୁ ରୋକିବା ସହ ଯୁବସମାଜକୁ ସଠିକ ବାଟରେ ପରିଚାଳିତ କରିବା ପାଇଁ ସେମାନଙ୍କୁ ପ୍ରଥମେ ସାକ୍ଷାତକାର ପାଇଁ ପ୍ରସ୍ତୁତ କରିବାକୁ ଗଜପତି ଏସପି ସାରା ଶର୍ମା ଆରମ୍ଭ କରିଛନ୍ତି ଉଡାନ୍ ।
ଏହା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୧୮ରୁ ୨୫ ବର୍ଷର 300 ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ୨୦ ଦିନିଆ ପ୍ରଶିକ୍ଷଣ ଶିବିରରେ ଶାରିରୀକ ଏବଂ ଲିଖିତ ପରୀକ୍ଷା ସମ୍ପର୍କରେ ତାଲିମ ପ୍ରଦାନ କରାଯାଉଛି । ଏଥିପାଇଁ ଗଜପତି ପୋଲିସର ବଛା ବଛା ପୁଲିସ୍ ଅଧିକାରୀ ଏବଂ ସିପାହୀଙ୍କୁ ନିଯୁକ୍ତ କରାଯାଇଛି । ଏହି ତାଲିମ ସରିବା ବେଳକୁ ସେମାନେ ସାକ୍ଷାତକାର ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇପାରିବେ ବୋଲି ଏସପି ଶାରା ଶର୍ମା କହିଛନ୍ତି
ଏହି ଶିବିରରେ ଯୋଗଥିବା ପ୍ରଶିକ୍ଷାର୍ଥୀ କହିଛନ୍ତି ଯେ, ଆଗରୁ ବହୁ ସାକ୍ଷାତକାର ଦେଇଛୁ। ହେଲେ ଉପଯୁକ୍ତ ମାର୍ଗଦର୍ଶନ ଅଭାବରୁ ବିଫଳ ହୋଇଛୁ । ଏହାକୁ ସୁଧାରିବା ସହ ଆମକୁ ବିଭିନ୍ନ ସ୍ଥାନରେ ସାକ୍ଷାତକାର ଦେବା ପାଇଁ ପ୍ରସ୍ତୁତ ରହିବାକୁ ଏହି ଶିବିର ବେଶ ସହାୟକ ହେବ ବୋଲି ଶିବିରାର୍ଥୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଯୋଗଦେଇ ସାରା ଶର୍ମା ଏସପି ଭାବେ ଏହି ଜିଲ୍ଲାରେ ଯୋଗଦେବା ପରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଦ୍ଵାରା କିଭଳି ସଂସ୍କାର ଆଣିବା ପାଇଁ ପ୍ରୟାସ କରୁଛନ୍ତି ସେନେଇ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.