ବୃଦ୍ଧଙ୍କ ମୂତ୍ରାଶୟରୁ ଅସ୍ତ୍ରୋପଚାର କରି ୧ କେଜିରୁ ଅଧିକ ଓଜନର ପଥର ବାହାର କଲେ ମାଲକାନଗିରି ଡାକ୍ତର…
ମାଲକାନଗିରି (ସଖପ୍ର): ଆଜି ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ବୃଦ୍ଧଙ୍କ ମୂତ୍ରାଶୟରୁ ବାହାରିଲା ୧କେଜି ୯୦୦ ଗ୍ରାମ୍ ଓଜନର ଦୁଇଟି ପଥର। ଡାକ୍ତର ଅସ୍ତ୍ରୋପଚାର କରି ଏହି ପଥରକୁ ବାହାର କରିଛନ୍ତି। ସୂଚନା ଆଧାରରେ , ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ଚୁମୁଟା ପାଲି ଗ୍ରାମର ଶୁକ୍ରାମୁଦୁଲି(୫୫) ନାମକ ଜଣେ ଗରିବ ଆଦିବାସୀ ବୃଦ୍ଧଙ୍କର ଗତ କିଛିମାସ ହେଲା ପେଟ ଯନ୍ତ୍ରଣା ଲାଗି ରହିଥିଲା। ବିଭିନ୍ନ ସ୍ଥାନରୁ ଗୁଣିଗାରେଡି ଦିଶାରୀଙ୍କୁ ଦେଖାଇ ଭଲ ନହୋଇ ଯନ୍ତ୍ରଣା ବଢିବାରୁ ଗ୍ରାମର କିଛି ଯୁବକ ଗତ ତିନି ଦିନ ତଳେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରି ଦେଲେ। ସର୍ଜରୀ ଡାକ୍ତର ସପନ କୁମାର ଦିଣ୍ଡା ରୋଗୀଙ୍କର ଅଲ୍ଟ୍ରା ସାଉଣ୍ଡ ପରୀକ୍ଷା କରି ଜାଣିବାକୁ ପାଇଲେ ତାଙ୍କ ମୂତ୍ରାଶୟରେ ଷ୍ଟୋନ୍ ହୋଇଛି। ତାର ଅପରେଶନ କରିବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ। ଗରିବ ଆଦିବାସୀ ଲୋକ ଟଙ୍କା ଅଭାବରୁ ବଡ଼ ଡ଼ାକ୍ତରଖାନାକୁ ନଯାଇ ମାଲକାନଗିରି ହସ୍ପିଟାଲରେ ଅପରେଶନ କରିବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ଆଜି ଜିଲ୍ଲା ହସ୍ପିଟାଲରେ ଡାକ୍ତର ସପନ କୁମାର ଦିଣ୍ଡାଙ୍କ ନେତୃତ୍ୱରେ ଡାକ୍ତର ନିହାର ରଞ୍ଜନ ତ୍ରିପାଠୀ, ଷ୍ଟାଫ୍ ନର୍ସ ଲିପିପ୍ରଭା ମହାନ୍ତି, ବନିତା ମୁଣ୍ଡଙ୍କ ପ୍ରାୟ ଏକଘଣ୍ଟାର ପରିଶ୍ରମ ପରେ ଅପରେଶନ କରି ଶୁକ୍ରା ମୁଦୁଲିଙ୍କ ମୂତ୍ରାଶୟରୁ ଦୁଇଟି ଷ୍ଟୋନ ବାହାର କରିଥିଲେ। ଗୋଟିଏ ୧ କେଜି ୧୦୦ ଗ୍ରାମ ହୋଇଥିବା ବେଳେ ଅନ୍ୟଟି ୮୦୦ଗ୍ରାମର ଥିଲା। ସଫଳତାର ସହିତ ଅପରେଶନ ହୋଇ ଥିବାରୁ ବୃଦ୍ଧ ଶୁକ୍ରା ମୁଦୁଲି ସୁସ୍ଥ ଅଛନ୍ତି। ଠିକ ଭାବେ ଖାଦ୍ୟ ପେୟ ନ କରିବା ଓ ଭେଜାଲ ଖାଦ୍ୟ ଖାଇବା ଯୋଗୁ ପେଟରେ ଓ ମୂତ୍ରାଶୟରେ ଷ୍ଟୋନ ହେବାର ବହୁତ ସମ୍ଭାବନା ରହିଛି। ଦିନେ କିମ୍ବା ଦୁଇଦିନ ମଧ୍ୟରେ ଶୁକ୍ରାଙ୍କୁ ଘରକୁ ପଠାଇ ଦିଆଯିବ ବୋଲି ଡାକ୍ତର ଶ୍ରୀ ଦିଣ୍ଡା କହିଛନ୍ତି। ଏକା ସଙ୍ଗେ ଦୁଇଟି ଷ୍ଟୋନ ମୂତ୍ରାଶୟରୁ ବାହାର କରାଯାଇ ଥିବାରୁ ଦେଖିବା ପାଇଁ ହସ୍ପିଟାଲରେ ଭିଡ଼ ଲାଗିଛି।
ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ