ବିଷମକଟକ ତହସିଲ ଅଧୀନରେ ଥିବା ଡାକୁଲୁଗୁଡା ମୁଲ୍ୟବାନ ରତ୍ନପଥର ଖଣି ଉପରେ ମାଫିଆଙ୍କ ନଜର:ପ୍ରଶାସନ ଓ ପୋଲିସ ନିରବ

ରାୟଗଡା(ସଖପ୍ର): ରାୟଗଡା ଜିଲ୍ଲା ରତ୍ନପଥର ଖଣି ଉପରେ ମାଫିଆଙ୍କ ରାଜ ଚାଲିଥିବା ଅଭିଯୋଗ ହୋଇଛି, ପ୍ରଶାସନ ନିରବକୁ ନେଇ ରତ୍ନ ପଥର ମାଫିଆଙ୍କ ପ୍ରାଦ୍ରୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ମାଫିଆ ମାନେ ଜିଲ୍ଲାରେ ବନ୍ଦ ହୋଇଥିବା ଖଣି ଗୁଡିକରୁ ବେଧଡକ ଭାବେ ମୁଲ୍ୟବାନ ରତ୍ନପଥର ଲୁଟି ଚାଲୁଥିବା ବେଳେ ଖଣି ବିଭାଗ ଓ ପ୍ରଶାସନ ଚୁପ ହୋଇ ବସିଛି ।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିର ବାତାବରଣ ଲାଗି ରହିଛି । ରାୟଗଡା ଜିଲ୍ଲାର ବିଷମ କଟକ ତହସିଲ ଅଧୀନରେ ଥିବା ପାଇକ ଡାକୁଳୁଗୁଡାରେ ଥିବା ବୈଦୁର୍ଯ୍ୟ ଖଣିରୁ ପ୍ରତିଦିନ ବେଧଡକ ଭାବେ ଖୋଳାଯାଉଛି ରତ୍ନପଥର। ଏହି ରତ୍ନପଥର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି । ଗତ ୭ ତାରିଖରେ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ରାୟଗଡାରେ ଚଡାଉ କରି କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୁଲ୍ୟବାନ ରତ୍ନପଥର ଜବତ କରିବା ପରେ ଏହି ଜିଲ୍ଲାରେ ରତ୍ନପଥରର ଚୋରା ଚାଲାଣ ଗୁମର ଏବେ ପଦାରେ ପଡିଛି । ଜିଲ୍ଲାର ବିଭିନ୍ନ ରତ୍ନପଥର ଖଣି ଅଞ୍ଚଳରେ ମାଫିଆ ମାନେ ଆଡ୍ଡା ଜମାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଏସବୁ ରତ୍ନପଥର ଖୋଳାଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ପ୍ରଶାସନ ସାଙ୍ଗକୁ ପୋଲିସ ଏକଥା ଭାବିଥିଲେ ମଧ୍ୟ ଚୁପ ହୋଇ ବସି ରହିବାକୁ କେନ୍ଦ୍ରକରି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ବିଷମ କଟକ ତହସିଲ ଅନ୍ତର୍ଗତ ପାଇକ ଡାକୁଳୁଗୁଡା ସଦର ମହକୁମାରେ ଗତ ୨୧ବର୍ଷ ତଳେ ସ୍ଥାନୀୟ ପାହାଡ଼ ନିକଟରେ ଦୁର୍ଲଭ ବୈଦୁର୍ଯ୍ୟ ଖଣିର ସନ୍ଧାନ ମିଳିଥିଲା । ଏହି ବୈଦୁର୍ଯ୍ୟ ଖଣି ଲିଜ ନେବାକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଦୁଇଜଣ ବ୍ୟବସାୟୀ ୪୦ ଏକର ପରିମିତ ଏହି ଖଣିକୁ ଲିଜ ଆକାରରେ ଖଣି ବିଭାଗ ନିକଟରେ ଆବେଦନ କରିଥିଲେ । ଏହାକୁ ନେଇ ୨୦୧୭ ମସିହାରେ ଲିଜ ଧାରୀଙ୍କ ସହ ସରକାରଙ୍କ ଚୁକ୍ତିନାମା ହୋଇଥିଲା । ଅର୍ଡର ଅନୁଯାୟୀ ପାଇକ ଡାକୁଲୁଗୁଡା ମୌଜା ଖାତା ନମ୍ବର ୨୫ ଓ ପ୍ଲଟ ନମ୍ବର ୨୦୩ ରେ ରହିଥିବା ୪୦ଏକର ଜମିରେ ରତ୍ନପଥର ରହିଛି । ବର୍ଷ ବର୍ଷ ଧରି ବେଆଇନ ରତ୍ନପଥର ଖନନ ଚାଲିଛି । ପ୍ରତିଦିନ ସ୍ଥାନୀୟ ଅଞ୍ଚଳର ଲୋକେ ରତ୍ନ ପଥର ଖୋଳିବା ପାଇଁ ଉକ୍ତ ସ୍ଥାନକୁ ଯାଉଛନ୍ତି । ବର୍ତ୍ତମାନ ଉକ୍ତ ସ୍ଥାନରେ ୧୫୦ ଫୁଟ ଗର୍ତ ସୃଷ୍ଟି ହୋଇଛି । ଯେ କୌଣସି ମୁହୂର୍ତ୍ତରେ ଉକ୍ତ ସ୍ଥାନରେ ବଡ଼ ଧରଣର ଅଘଟଣ ଘଟିପାରେ । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା । ଉକ୍ତ ସ୍ଥାନରେ ସର୍ବସାଧାରଣଙ୍କ ଯାତାୟତ ନିମନ୍ତେ କଟକଣା ଜାରି କରାଯାଇଥିଲା । ହେଲେ ପ୍ରଶାସନ ଓ ପୋଲିସର ଦୂରଦୃଷ୍ଟି ଅଭାବରୁ ବର୍ଷ ବର୍ଷ ଧରି ବେଧଡକ ଭାବେ ଖୋଳାଯାଉଛି ଏଠାରେ ରତ୍ନପଥର । କୋଟି କୋଟି ଟଙ୍କାର ମୁଲ୍ୟବାନ ବୈଦୁର୍ଯ୍ୟ ରତ୍ନ ପଥର ଲୁଟ କରାଯାଉଥିଲେ ମଧ୍ୟ ପୋଲିସ କିମ୍ବା ସ୍ଥାନୀୟ ପ୍ରଶାସନର ଏଥିପ୍ରତି ନିଘା ନଥିବା ଡାକୁଲୁଗୁଡା ଗ୍ରାମବାସୀ ପ୍ରଶାନ୍ତ ବୈଦ ଭୂଷଣ, ରମେଶ ଗୌଡ଼ କହିଛନ୍ତି । ଡାକୁଲଗୁଡା ଗ୍ରାମରେ ରହିଥିବା ରତ୍ନ ପଥର ଖଣିକୁ ସରକାରଙ୍କ ପକ୍ଷରୁ କଲ୍ୟାଣୀ ଲାବରୋଟରିଜ୍ ଲିମିଟେଡକୁ ୫୦ ବର୍ଷ ପାଇଁ ଲିଜ୍ ଦିଆଯାଇଥିବା ବେଳେ ଏହାର ଜନଶୁଣାଣୀ ୨୦୧୯ ହୋଇଥିଲା । ଡିଆରଡିଏର ପ୍ରକଳ୍ପ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନଶୁଣାଣୀରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଓ ପାଇକ ଡାକୁଲୁଗୁଡା ଅଞ୍ଚଳର ଲୋକ ମାନେ ଉପସ୍ଥିତ ଥିଲେ । ସଂପୃକ୍ତ ସଂସ୍ଥା ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ପାଇଥିବା ବେଳେ ଏଥିପାଇଁ ଲୋକଙ୍କ ମତାମତ ଲୋଡ଼ା ଯାଇଥିଲା । ଏହାକୁ ନେଇ ଗତ ବର୍ଷ ଜନଶୁଣାଣୀ ହୋଇଥିଲା । ତେବେ ଜନ ଶୁଣାଣୀରେ କିଛି ଲୋକ ବିରୋଧ କରିଥିବା ବେଳେ କିଛି ଲୋକ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ହେବ ବୋଲି ଆଶା ବାନ୍ଧିଥିଲେ । ହେଲେ ଆଜି ଯାଏ କାମ ଆରମ୍ଭ ନହେବାରୁ ଚୋରା ରତ୍ନପଥର ଚାଲାଣ କାରୀଙ୍କ ପାଇଁ ଏହି ସ୍ଥାନ ଭୁସ୍ଵର୍ଗ ପାଲଟିଛି । ଏହି ଖଣିରେ ବୈଦୁର୍ଯ୍ୟ ରତ୍ନପଥର ବାହାରୁଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ପଥର ବ୍ୟବସାୟୀ ମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏଠାରୁ ରତ୍ନପଥର ଲୁଟି ନେଉଛନ୍ତି । ରତ୍ନପଥର ଖଣି ଲୁଟ ହେବା ସମ୍ପର୍କରେ ଆମେ ତହସିଲଦାର ଶୁଭେନ୍ଦୁ କୁମାର ଜେନାଙ୍କୁ ପଚାରିବାରୁ ଜନଶୁଣାଣୀ ପରେ ଖଣି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା କହିବା ସହ ରତ୍ନପଥର ଚୋରା ଚାଲାଣ ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ନଥିବା କହିଛନ୍ତି । ୨୧ ବର୍ଷ ଧରି କୋଟି କୋଟି ଟଙ୍କାର ମୁଲ୍ୟବାନ ରତ୍ନପଥର ଚୋରା ଚାଲାଣ ଚାଲିଥିବା ବେଳେ, ଆଗକୁ ଚୋରା ରତ୍ନପଥର କାରବାର ଉପରେ ପ୍ରଶାସନ କେଉଁଭଳି ଅଙ୍କୁଶ ଲଗାଉଛି ତାହା ଦେଖିବାକୁ ବାକି ରହିଲା ।

ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ