ବିଡିଓଙ୍କ ଜରିଆରେ ଦାବିପତ୍ର ଦେଲେ ସାମ୍ବାଦିକ
ବାଲେଶ୍ବର,୨୨/୫- ସାମ୍ବାଦିକ ମାନଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ବେଳେ ଆଜି ଅସୁରକ୍ଷିତ । ଖବର ସଂଗ୍ରହ ବେଳେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଆକ୍ରମଣର ସ୍ବୀକାର ହେଉଛନ୍ତି ସାମ୍ବାଦିକମାନେ । ସର୍ବଦା ନିର୍ଭୀକ ଓ ସତ୍ୟ ସମ୍ବାଦ ପ୍ରକାଶ କରି ସମାଜ ପରିବର୍ତ୍ତନର ସାରଥୀ ସାଜିଥିବା ସାମ୍ବାଦିକ ଶିକାର ହେଉଛି ଆକ୍ରମଣର । ସ୍ବାର୍ଥରେ ବାଧାସୃଷ୍ଟି ହେବା ଲକ୍ଷ୍ୟ ନେଇ କେତେକ ସ୍ବାର୍ଥନ୍ବେଷୀ ବ୍ଯକ୍ତିମାନେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା ପାଇଁ ପଛାଇ ନଥାନ୍ତି । ଏଭଳି ଏକ ଘଟଣା ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି । ଘଟଣାରୁ ଜଣାଯାଇଛି ଯେ ଗତ ତା ୧୯/୫/୨୧ ରିଖ ପୁରୀ ଠାରେ ଦୈନିକ ଧରିତ୍ରୀ ଖବରକାଗଜର ସାମ୍ବାଦିକ ଦତ୍ତାତ୍ରେୟ ନାୟକ ଖବର ସଂଗ୍ରହ କରୁଥିବା ସମୟରେ ପୋଲିସର ବର୍ବୋରଚିତ ଆକ୍ରମଣରେ ଶିକାର ହୋଇଥିଲେ । ସରକାର ଆଜି ପର୍ଯ୍ୟନ୍ତ ସେହି ଆକ୍ରମଣ ଘଟଣାର ଅଭିଯୁକ୍ତ ମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ କାର୍ଯ୍ୟରତ ସାମ୍ବାଦିକ ମାନେ ତତ୍ପର ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ମାନଙ୍କ ତରଫରୁ ଦାବିପତ୍ର ଦେବା ଆରମ୍ଭ ହୋଇଛି । ସେହି ପରିପ୍ରେକ୍ଷୀରେ ଆଜି ବାଲେଶ୍ବର ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଙ୍ଘ ତରଫରୁ ସାମ୍ବାଦିକମାନେ ଏକତ୍ର ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଖଇରା ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କୁ ଦେଇଛନ୍ତି । ଆକ୍ରମଣକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି । ଯଦି ଏବାବଦରେ ସରକାର କୌଣସି ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ କାର୍ଯ୍ୟରତ ସାମ୍ବାଦିକମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଉତ୍କଳ ସାମ୍ବାଦିକ ସଙ୍ଘ,ଓଡିଶା ସାମ୍ବାଦିକ ସଙ୍ଘ ଓ ଖଇରା ସାମ୍ବାଦିକ ସଙ୍ଘର କାର୍ଯ୍ୟରତ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ଉତ୍କଳବନ୍ଧୁ ପଣ୍ଡା, ବଳରାମ ଲେଙ୍କା, ପଦ୍ମଲୋଚନ ଦାସ,ଲୋଚନ ରାଉତ,ଅନାମ ଚରଣ ପଣ୍ଡା, ଧନଞ୍ଜୟ ପଣ୍ଡା ଓ ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ