ବିଜେଡି ସାଂସଦ ଓ ବିଧାୟକଙ୍କ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଜାଳିଲେ ବିଜେପି ନେତା

ନବରଙ୍ଗପୁର(ସଖପ୍ର): ନବରଙ୍ଗପୁର ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଜେଡି ବିଧାୟକ ସଦାଶିବ ପ୍ରଧାନୀ କରୋନାରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ରହୁଛନ୍ତି। ତେବେ ଶନିବାର ସାଂସଦ ଶ୍ରୀ ମାଝୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ସହ ସେ ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗିବାରୁ ତାଙ୍କୁ ପ୍ରଥମେ ନବରଙ୍ଗପୁର କୋଭିଡ ଡାକ୍ତରଖାନା ଓ ପରେ ଭୁବନେଶ୍ୱର କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ସାଂସଦ ଶ୍ରୀ ମାଝୀ ଓ ବିଧାୟକ ଶ୍ରୀ ପ୍ରଧାନୀଙ୍କ ସମେତ ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତଙ୍କର ଆରୋଗ୍ୟ କାମନା କରି ଭାରତୀୟ ଜନତା ପାର୍ଟି(ବିଜେପି) ନେତାମାନେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଆରାଧ୍ୟା ଦେବୀ ମା’ ଭଣ୍ଡାର ଘରଣୀଙ୍କ ମନ୍ଦିରରେ ଦୀପ ପ୍ରଜ୍ୱଳନ କରିବା ସହ ପୂଜାର୍ଚ୍ଚନା କରି ପ୍ରାର୍ଥନା କରିଥିଲେ। ଏଥିରେ ଜିଲ୍ଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲ୍ଲା ଉପସଭାପତି ସତ୍ୟବାଦୀ ଷଡଙ୍ଗୀ, ଜିଲ୍ଲା ପଛୁଆବର୍ଗ ସଭାପତି ମନୋଜ ମହାଙ୍କୁଡ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି କାହ୍ନୁ ଦାଶ, ପିଣ୍ଟୁମିଶ୍ର, ନିହାର ବିଷୋୟୀ, ମଧୂସୂଦନ ଗାଦବା ପ୍ରମୁଖ ଉପସ୍ଥିତ ରହିଥିଲେ।