ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀଙ୍କ ମୁନିଗୁଡାଗସ୍ତ ଓ କର୍ମୀ ସମ୍ମିଳନୀ

ରାୟଗଡା (ସଖପ୍ର): ରାୟଗଡା ଜିଲ୍ଲା ମୁନିଗୁଡା କମ୍ୟୁନିଟି ହଲ ପରିସରରେ ଆଜି ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକ ବିଜେଡିର ଏକ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ମୁନିଗୁଡା ବିଜେଡି ବ୍ଲକ ସଭାପତି ରତନଲାଲ ଜୈନ ଓ ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ପହଞ୍ଚି ବ୍ଲକର ଦଳୀୟ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆବର୍ଗ,ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା,ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ,ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ପ୍ରମୁଖଙ୍କ ସମେତ ଅନ୍ୟ ଦଳୀୟ ନେତା ମାନେ ଉପସ୍ଥିତ ରହି ଆଗାମୀ ଦିନରେ ଥିବା ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ଦଳ କିପରି ବାଜିମାତ କରିବ ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଦଳୀୟ ନେତା ଓ କର୍ମୀ ମାନଙ୍କ ସହ ଦଳର ବିଭିନ୍ନ ସମସ୍ୟା ଉପରେ ଏବଂ ବ୍ଲକରେ ଦଳୀୟ ସଂଗଠନକୁ କିପରି ଆହୁରି ମଜଭୁତ କରିବେ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ ମୁନିଗୁଡାରେ ଜନ ସାଧାରଙ୍କ ଦ୍ୱାରା ବହୁ ଦିନ ଧରି ଲାଗି ରହିଥିବା ଦାବି ଗୁଡିକ ଉପରେ ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼ ଓ ପୂର୍ବତନ ଏସଡିସି ଅଧକ୍ଷ ଜଗନ୍ନାଥ ନୁନ୍ଦ୍ରୁକା ମୁନିଗୁଡାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା, ମେଗା ୱାଟର ପ୍ରୋଜେକ୍ଟ, କେନ୍ଦ୍ରୀୟ ବିଦ୍ୟାଳୟ, ମେଡିକାଲରେ ସ୍ପେଶାଲିଷ୍ଟ ଡାକ୍ତର ନିଯୁକ୍ତି, ନୂତନ କୋର୍ଟ ସ୍ଥାପନ, ବାଇପାସ ରୋଡ଼ ଆଦି ସହ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଶେଷରେ ଏହି ସମସ୍ତ ସମସ୍ୟା ଗୁଡିକ ଉପରେ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଶୀଘ୍ର ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ପ୍ରକାଶ କରିଥିଲେ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ