ବାଲିମେଳା ବନ ବିଭାଗ ଦ୍ଵାରା ୨୫ ଖଣ୍ଡ ଶାଗୁଆନ ପଟା ଜବତ
ମାଲକାନଗିରି (ସଖପ୍ର): ବେଆଇନ ଭାବେ କାଠ ପଟା ଚାଲାଣ ହେଉଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଛି ବନ ବିଭାଗ। ଆଜି ଏପରି ଏକ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ବନ ବିଭାଗ ର ରେଞ୍ଜ ରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁଯାୟୀ ଡଙ୍ଗା ମାଧ୍ୟମରେ କୁଢ଼ କୁଢ଼ ବେଆଇନ ଶାଗୁଆନ ପଟା ଚୋରା ଚାଲାଣ ହେଉଥିବା ଖବର ପାଇ ମାଲକାନଗିରି ଏସିଏଫ ମନସୁନ ଖେମୁଣ୍ଡୁ ଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି, ବାଲିମେଳା ଏବଂ ମାଥିଲି ବନ ବିଭାଗ ରେଞ୍ଜ ର ମିଳିତ ଉଦ୍ୟମରେ ଏକ ବଡ଼ ଟିମ ଗଠନ କରି ଆଜି ନାକାମାମୁଢି ପଞ୍ଚାୟତ ର ଡୁମୁରିପଦର ଗ୍ରାମର ଜଙ୍ଗଲ ରେ ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉ ହେବା ଜାଣି କିଛି ବ୍ୟକ୍ତି ଘଞ୍ଚ ଜଙ୍ଗଲ ମଧ୍ୟକୁ ପ୍ରବେଶ କରି କେଉଁଆଡ଼େ ପଳାୟନ କରିଥିଲେ। ପରେ ସେଠାରୁ ୨୫ ଖଣ୍ଡ ଶାଗୁଆନ କାଠ ପଟା ଜବତ କରାଯାଇଥିଲା। ଜବତ ୨୫ ଖଣ୍ଡ ଶାଗୁଆନ କାଠ ପଟା ର ଆନୁମାନିକ ମୂଲ୍ୟ ୭୦ ହଜାର ହେବ ବୋଲି ଜଣାପଡିଛି। ତେବେ ଏହି ବେଆଇନ କାଠ ପଟା ଡ଼ଙ୍ଗା ମାଧ୍ୟମରେ ଯନ୍ତ୍ରୀ ଅଞ୍ଚଳ କୁ ଚାଲାଣ ହେଉଥିବା ଜଣାପଡିଛି। ଆଜିର ଏହି ଚଢ଼ାଉ ସମୟରେ ବାଲିମେଳା ବନ ବିଭାଗ ରେଞ୍ଜର ଲିସ୍ମିତା କଅଁର, ଫରେଷ୍ଟର ମୋହନ ଗୁଡ଼ିଆ, ଗାର୍ଡ ସୁଜାତା ମଣ୍ଡଳ, ମାଲକାନଗିରି ରେଞ୍ଜ ଫରେଷ୍ଟର ରବିନାରାୟଣ ଖଣ୍ଡୁଆଳ, ମାଥିଲି ଫରେଷ୍ଟ ଗାର୍ଡ ଦିଲ୍ଲୀପ ଡାକୁଆ ଙ୍କ ସମେତ ୨୦ ପାରା ଷ୍ଟାଫ ଉପସ୍ଥିତ ଥିଲେ। ଏଥିସମେତ ଏହି ଚଢ଼ାଉ ରେ ଓରକେଲ ଥାନା ର ଏକ ଟିମ ସହଯୋଗ କରିଥିବା ସୂଚନା ମିଳିଛି। ତେବେ ଆଗାମୀ ଦିନରେ ଏପରି ବେଆଇନ କାଠ ପଟା ଚାଲାଣକାରୀ ଙ୍କ ଉପରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଲିମେଳା ରେଞ୍ଜର ଲିସ୍ମିତା କଅଁର ସୂଚନା ଦେଇଛନ୍ତି।