ବାଙ୍କଟିଗୁଡା ଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ
ମାଲକାନଗିରି :ମାଲକାନଗିରି ଜିଲ୍ଲା , ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଢଘାଟା ଗ୍ରାମ ପଞ୍ଚାୟତ ର ବାଙ୍କଟିଗୁଡା ଗ୍ରାମ ରେ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିର୍ଘ ୨୫ ବର୍ଷ ତଳୁ ବାଙ୍କଟିଗୁଡା ଗାଁ ମଝିରେ ଥିବା ଏକ ନଡା ଛାଉଣୀ ଘରେ ପୂଜା ପାଉଥିବା ତିନି ଦିଅଁଙ୍କ ନିମନ୍ତେ, ଏକ ନୂତନ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆଜି ପାରମ୍ପରିକ ପୂଜାର୍ଚ୍ଚନା ଓ ହୋମକିର୍ତ୍ତନ କରାଯାଇ ଭୂମିପୂଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସିରିପେଟା ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀ ବିଜୟାନନ୍ଦ ପଣ୍ଡା ଓ କର୍ତ୍ତା ଜଗବନ୍ଧୁ ବାରିକଙ୍କ ଉପସ୍ଥିତିରେ ନିର୍ମାଣ ହେବାକୁ ଥିବା ମନ୍ଦିର ର ଗର୍ଭଗୃହ ତଳର ମୃତ୍ତିକା କୁ ଗଙ୍ଗାଜଳ ଶିଞ୍ଚି, ପଞ୍ଚଗବ୍ୟ ଦ୍ଵାରା ସୋଧନ କରିବା ସହ ଶାସ୍ତ୍ର ଅନୁଯାୟୀ ପୂଜନ ଶ୍ଲୋକ ଉଚ୍ଚାରଣ କରି ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ବାକା ଯୋଗ ଦେଇଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଘ୍ନ କିର୍ଷାନୀ, ଖଇରପୁଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର କୋୟା, ଖଇରପୁଟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବଳି ମାଝୀ, ସମିତି ସଭ୍ୟ ଅକ୍ଷୟ ରଞ୍ଜନ ପାଙ୍ଗୀ, ସମାଜସେବୀ ବାଳକୃଷ୍ଣ ପ୍ରଧାନ, ଗଣେଶ ପ୍ରସାଦ ଦାଶ ଓ ଭଗବାନ ସାହୁ ,ଲବ କର୍ଲିଆ , ପ୍ରିତମ ଗୁଡତେଲି ଓ ଅରୁଣ ସାହା ପ୍ରମୁଖ ଉପସ୍ଥିତ ଥିଲେ । ଜଗନ୍ନାଥ ମନ୍ଦିର ର ପାଚେରି ନିର୍ମାଣ କାର୍ଯ୍ୟ ପାଇଁ ୩ ଲକ୍ଷ ଟଙ୍କାର ବିଧାୟକ ପାଣ୍ଠିରୁ ଅର୍ଥ ଦେବା ପାଇଁ ମାନ୍ୟବର ବିଧାୟକ ଶ୍ରୀ ବାକା ପ୍ରତିଶ୍ରୁତି ଦେଇଥିବା ବେଳେ, ଏହାର ପାରିପାର୍ଶ୍ବିକ ଉନ୍ନତି, ଏକ ଗୋଷ୍ଠୀ କେନ୍ଦ୍ର ଗୃହ ଓ ସୈଚାଳୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀ କିର୍ଷାନୀ ଓ ବିଡ଼ିଓ ଶ୍ରୀ କୋୟା ତୁରନ୍ତ ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ, “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ମାଧ୍ୟମରେ ପଞ୍ଚାୟତ ତରଫରୁ ୫ ଲକ୍ଷ ଟଙ୍କାର ପାଣ୍ଠି ର ବ୍ୟୟ ବରାଦ ବିଷୟରେ ପୋଢଘାଟା ସରପଞ୍ଚ ସୁଚନା ଦେଇଛନ୍ତି । ଭଜନ କୀର୍ତ୍ତନ କରିବା ପାଇଁ ଏକ ମଣ୍ଡପ ନିର୍ମାଣ ପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ର ଅଧ୍ୟକ୍ଷ ଶ୍ରୀ ଆଡମା ରାବାଙ୍କ ସହ କଥା ହେବେ ବୋଲି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାଝୀ କହିଛନ୍ତି । ଆଜିର ଏହି ଭୂମିପୂଜନ କାର୍ଯ୍ୟକ୍ରମ କୁ ବାଙ୍କଟିଗୁଡା ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ସଦସ୍ୟ ଯଥା – ସନୀଆ ଦାସା,ବାଗନା ଦାସା,ସମାରୁ ଫୁଲା, ଉଦ୍ଧବ ଦାସା, ମୁକୁନ୍ଦ ଦାସା, ପୁର୍ଣ୍ଣ ଦିସାରୀ ଓ ଅନ୍ୟମାନେ ସଫଳତାର ସହ ଆୟୋଜନ କରିଥିଲେ ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ