November 18, 2025

Sabubarga Khabar

All category news

ବନ୍ଦେ ଭାରତ ଟ୍ରେନ୍ ପାଇଁ ବିଧାୟକ ବାହିନୀପତିଙ୍କ ଦାବି

ଜୟପୁର 10/5 : କୋରାପୁଟରୁ ଭୁବନେଶ୍ୱର ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ସେବା ଆରମ୍ଭ ନେଇ ଦାବି ରଖିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି ଦାବି ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ରଖିଛନ୍ତି । ଗତ ପରବ-୨୦୨୪ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ-ଭୁବନେଶ୍ଵର ମଧ୍ୟରେ ଏକ ନୂଆଁ ଟ୍ରେନ ଚାଲିବା ପ୍ରତିଶ୍ରୁତି ଦେଇଥିବା ବେଳେ ଏହାକୁ ବିଧାୟକ ଏବେ ସ୍ମରଣ କରାଇଛନ୍ତି । ବିଧାୟକ ବାହିନୀପତି ନିଜ ଦାବିପତ୍ରରେ ଭୁବନେଶ୍ବର- ବିଶାଖାପାଟଣା ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ୨୦୮୪୧ ଟ୍ରେନ୍ ଟିକୁ ଭାୟା ଆରକୁ ଦେଇ କୋରାପୁଟ ଯାଏଁ ସମ୍ପ୍ରସାରିତ କରିବା ନେଇ ଦାବି ରଖିଛନ୍ତି । ଏଥିରେ ସେ ଯୁକ୍ତି ବାଢ଼ିଛନ୍ତି ଯେ, ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ଦ୍ୱାରା ସାଧାରଣତଃ ୮୦୦ କିମି ଦୂରତା ମଧ୍ୟରେ ରହିଥିବା ସହର ଗୁଡ଼ିକୁ ସଂଯୋଗ ପାଇଁ ପରିକଳ୍ପନା କରାଯାଇଛି । ଭୁବନେଶ୍ବର- ବିଶାଖପାଟଣା- ଆର୍କୁ- କୋରାପୁଟ ରୁଟ୍ ର ଦୂରତା ମାତ୍ର ୬୬୯ କିମି । ଭୁବନେଶ୍ୱର ଠାରୁ ଏହି ଟ୍ରେନ୍ ଟି ଏବେ ମାତ୍ର ୪୪୪ କିମି ଦୂରତାକୁ ୫ ଘଣ୍ଟାରେ ଅତିକ୍ରମ କରି ବିଶାଖାପାଟଣାରୁ ପୁଣି ଫେରୁଛି ।

ଏହାକୁ ଆଉ ମାତ୍ର ୨୧୫ କିମି ସମ୍ପ୍ରସାରିତ କରି ସର୍ବ ମୋଟ ୯ ଘଣ୍ଟାରେ କୋରାପୁଟକୁ ରାଜଧାନୀ ଭୁବନେଶ୍ବର ସହ ଯୋଡ଼ା ଯାଇପାରିବ । ଏହାଦ୍ବାରା ନନ୍ଦପୁର ଏବଂ ଲମତାପୁଟ ଭଳି ଅବହେଳିତ ବ୍ଲକ ଗୁଡ଼ିକ ରାଜଧାନୀ ସହ ସିଧାସଳଖ ଯୋଡି ହୋଇ ପାରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ତତ୍ ସହ ଆନ୍ଧ୍ରପ୍ରଦେଶ, ଛତିଶଗଡ ସହ ଓଡିଶାର ନବରଙ୍ଗପୁର ଏବଂ ମାଲକାନଗିରି ଭଳି ଅବହେଳିତ, ଉପାନ୍ତ, ଆକାଁକ୍ଷା ଜିଲ୍ଲାବାସୀ ମଧ୍ୟ ଏହାର ସୁଫଳ ପାଇବେ ବୋଲି କହିଛନ୍ତି । ଏହା ସମ୍ଭବ ହେଲେ ଏ ଅଂଚଳରୁ ଭୁବନେଶ୍ୱରକୁ ଯାଉଥିବା ଏକ ମାତ୍ର ହୀରାଖଣ୍ଡ ଟ୍ରେନରୁ ଯାତ୍ରୀ ବୋଝ କମିବ, ଯାହାର ସୁଫଳ ଅବିଭକ୍ତ କୋରାପୁଟ ଜିଲ୍ଲାର ବାସିନ୍ଦା ପାଇବେ ବୋଲି ସେ କହିଛନ୍ତି । ରେଳ ଯୋଗାଯୋଗରେ ପଛୁଆ ଥିବା ଯୋଗୁଁ ହିଁ ଅବିଭକ୍ତ କୋରାପୁଟ ଜିଲ୍ଲାର ସାମାଜିକ ଏବଂ ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସମ୍ଭବ ହେଉନାହିଁ ବୋଲି ବିଧାୟକ ଅଭିଯୋଗ ରଖି ତୁରନ୍ତ ଏହି ଚାଲୁଥିବା ବନ୍ଦେ ଭାରତ ଟ୍ରେନ୍ ସେବାକୁ ବିଶାଖାପାଟଣାରୁ କୋରାପୁଟ ଯାଏଁ ସମ୍ପ୍ରସାରଣ ନେଇ ଅନୁରୋଧ କରିଛନ୍ତି । ଏହି ଅନୁରୋଧକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରେଳମନ୍ତ୍ରଣାଳୟକୁ ତୁରନ୍ତ ଯୋଗାଯୋଗ କରାଯାଇଥିଲା । ତତ୍ ସହ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତି ନେ଼ଇ ପୂର୍ବତଟ ରେଳପଥକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ବିଧାୟକ ଜଣାଇଛନ୍ତି । ଏପରିକି ତାଙ୍କ ଅନୁରୋଧ ପତ୍ରକୁ ଗୁରୁତ୍ଵ ଦେଇ ବିଚାର ଆରମ୍ଭ କରିଥିବା ଯୋଗୁଁ ବିଧାୟକ ବାହିନୀପତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.