ଫାର୍ମାସିଷ୍ଟଙ୍କୁ ଗାର୍ଡ ଅଫ ଅନର ଦିଆଗଲା…
ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କାଳିଆଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆ ଯାଇ ଗାର୍ଡ ଅଫ ଅନର ଦିଆଗଲା |ସେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ଗ୍ରାମର । ସେ ହେଲେ ଓ୍ବାଇ ରାଜକୁମାର (୪୬)। ସେ ଦୀର୍ଘ ୧୪ ବର୍ଷ ହେଲା ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିଲେ | ଗତ ମାସ ୨୭ ତାରିଖରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ପରେ ସେ କରୋନା ପରୀକ୍ଷା କରିଥିଲେ ଯାହାକି ୨୯ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ ଜୟପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ମାତ୍ର ପରିସ୍ଥିତି ଗୁରୁତର ହେବାରୁ ସେହିଦିନ ଅପରାହ୍ନରେ ବିଶାଖାପାଟଣାର ମେଡିକଭର କୋଭିଡ୍ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ମାତ୍ର ସେଠାରେ ମଧ୍ୟ ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବାରୁ ଗତ ୯ ତାରିଖରେ ବିଶାଖାପାଟଣାର ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଥିବା ବେଳେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମାଲକାନଗିରି ଜିଲା ପ୍ରଶାସନକୁ ପରିବାର ଲୋକେ ଖବର ଦେଇଥିଲେ। ପ୍ରଶାସନର ପରାମର୍ଶ ଅନୁଯାୟୀ ମୃତଦେହକୁ ନିଜ ଗ୍ରାମ ପାଣ୍ଡିଆକୁ ଅଣାଯାଇଥିଲା। ଏହାର ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ବିଜୟ କୁମାର ବେହେରା, ଥାନା ଏଏସ୍ଆଇ ରବିନ୍ଦ୍ର ନାଥ ପାଣିଗ୍ରାହୀ ଓ ପୋଲିସ କର୍ମଚାରୀମାନେ ପାଣ୍ଡିଆ ଗ୍ରାମରେ ପହଞ୍ଚି ଗାର୍ଡ ଅଫ୍ ଅନର ଦେଇ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କର ସ୍ତ୍ରୀ ଓ୍ବାଇ ପ୍ରେମଲତା, ୧୬ ବର୍ଷ ଓ ୧0ବର୍ଷର ଦୁଇ ଝିଅ ରହିଛନ୍ତି।ତାଙ୍କ ପରିବାର ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି |ଯଥାଶୀଘ୍ର ସରକାରଙ୍କ ତରଫରୁ ସହାୟତା ଦେବାକୁ ତାଙ୍କ ପାଣ୍ଡିଆ ଗ୍ରାମର ଲୋକେ ପ୍ରଶାସନ ପାଖରେ ଦାବି କରିଛନ୍ତି |