ପ୍ରବାସୀ ଶ୍ରମିକଙ୍କ ଦୁଃଖ ଲାଘବ କରୁଛି ରାୟଗଡା ଜିଲ୍ଲା ପ୍ରଶାସନ ୯୨୭୬ଜଣକୁ ଜିଲ୍ଲାରୁ ପଠାଇଲାଣି
ରାୟଗଡ଼ାଜିଲ୍ଲା:(ଜ଼ିଲ୍ଲା ପ୍ରତନିଧି ଅମୁଲ୍ୟ ନିଶଙ୍କ) ଦେଶର ବିଭିନ୍ନ ରାଜ୍ୟ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ରାଜ୍ୟ ବାହାର ଓ ରାଜ୍ୟ ଭିତରେ ଶ୍ରମିକ ମାନେ କାର୍ଯ୍ୟ କରି ଅସୁଥିଲେ । କିଏ ପରିବାର ସହିତ ତ ଆଉ କିଏ ପରିବାର ଛାଡିକି ଦୂର ଦୁରାନ୍ତରେ ପେଟପାଟଣା ପାଇଁ କାମ କରିବାକୁ ଯାଇଥିଲେ । ହେଲେ କରୋନା ପାଇଁ ତାଲାବନ୍ଦ ଯୋଗୁଁ କଳକାରଖାନାରେ କାର୍ଯ୍ୟ ବନ୍ଦ ରହିବା ଫଳରେ ସେଠାରେ ଶ୍ରମିକମାନଙ୍କ ରୋଜଗାର ବନ୍ଦ ହେଇଗଲା । ସେମାନଙ୍କ ପାଇଁ ରହିବା ଓ ଖାଇବାରେ ଅନେକ ସମସ୍ୟା ସେମାନଙ୍କୁ ବାଧ୍ୟ କଲା ନିଜ ଭିଟାମାଟିକୁ ଫେରିବା ପାଇଁ। ପ୍ରବାସୀ ଶ୍ରମିକମାନେ ନିଜ ନିଜ ଗାଆଁକୁ ଫେରିବା ପାଇଁ ବାହାରିଲେ । ଦେଶର ବିଭିନ୍ନ କୋଣ ଅନୁକୋଣରୁ ବାହାରିଲେ କିଏ ବସ ଯୋଗେ, କିଏ ସାଇକେଲରେ ,କିଏ ମଟର ସାଇକେଲରେ ,ଆଉ କିଏ ଚାଲି ଚାଲି ନିଜ ଗାଆଁ ଅଭିମୁଖେ। ଏହା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପାଇଁ ବଡ଼ ସମସ୍ୟା ହୋଇ ଠିଆ ହେଲା ସେମାନଙ୍କ ପହଞ୍ଚିବା ଏବଂ ରହିବା ନେଇ ।
ଏଭଳି ପରିସ୍ଥିତିରେ ପରିଚାଳନା କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ଉପରେ ଗୁରୁଦାୟିତ୍ୱ ରହିଥିଲା । ଜିଲ୍ଲାରେ ଅନେକ ଶ୍ରମିକ ଚାଲି ଚାଲି ,ବସ ଯୋଗେ ଓ ରେଳ ଯୋଗେ ଅନ୍ୟ ରାଜ୍ୟରୁ ଆସି ପହଁଚିବା ଫଳରେ ସେମାନଙ୍କୁ ଆଶ୍ରୟ ଓ ଖାଦ୍ୟ ଦିଆଯାଇ ନିଜ ନିଜ ଗ୍ରାମରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଥିଲା ।
ଵିଶେଷ କରି ଛତିଶଗଡ଼, ପଞ୍ଜାବ,ରାଜସ୍ଥାନ,ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଶ୍ରମିକ ମାନଙ୍କୁ ସ୍ଵତନ୍ତ୍ର ବସ ଯୋଗେ ପଠା ଯାଇଛି ।ସେହିପରି ବାହାର ରାଜ୍ୟରୁ ସୀମା ପାର ହେଇ ଚାଲିଚାଲି ଓ ବସ ଯୋଗେ ଆସୁଥିବା ଶ୍ରମିକ ମାନଙ୍କୁ ଆନ୍ଧ୍ର ଓଡ଼ିଶା ସୀମା ନିୟନ୍ତ୍ରଣ କେନ୍ଦ୍ର କେରେଡଠାରେ ପଞ୍ଜିକରଣ କରାଯାଇ ସେମାନଙ୍କୁ କେନ୍ଦ୍ରୀୟ ଅଭ୍ୟର୍ଥନା କେନ୍ଦ୍ରରେ ଯଥା କେରଡ଼ା ପାଖରେ ବିଲେସୁ ସ୍କୁଲ,ରାୟଗଡ଼ାର ଠକର ବାପା ଆଶ୍ରମ, ଅଶୋକ କଲ୍ୟାଣ ମଣ୍ଡପ ଓ କଲନାରାର ମିଟସ ଠାରେ ରଖାଯାଇ ଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାର ବିଶେଷ କରି ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ବଲାଙ୍ଗୀର,ନୂଆପଡ଼ା, ମୟୁରଭଞ୍ଜ, ସୁନ୍ଦରଗଡ଼ , କନ୍ଧମାଳ ,ସୋନପୁର ,ବରଗଡ଼,ଗଞ୍ଜାମ ,କଟକ ଓ ଗଜପତି ଜିଲ୍ଲାର ୬୪୯୫ଜଣ ଶ୍ରମିକମାନଙ୍କୁ ୧୨୮ଟି ବସ ଯୋଗେ ପଠାଯାଇଛି । ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି.ଡିଆରଡିଏ ଶ୍ରୀ ଅମୃତ ରୁତୁରାଜ, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ବିଡ଼ିଓ ରାୟଗଡ଼ା ଶ୍ରୀ ରାଜେନ୍ଦ୍ର ମାଝୀ, ଏ.ବି.ଡି.ଓ ନୃସିଂହ ଚରଣ ପଟ୍ଟନାୟକ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଦଳାଇ ଅନ୍ୟଜିଲ୍ଲାର ପ୍ରବାସୀ ଶ୍ରମିକ ମାନଙ୍କୁ ବସ ଯୋଗେ ପଠାଇବା ଵ୍ୟଵସ୍ଥା କରିଥିଲେ । ବଲାଙ୍ଗିର ଜିଲ୍ଲାକୁ ୧୦୪ଟି ବସ ଯୋଗେ ସର୍ବାଧିକ ୫୪୫୧ଜଣ ଶ୍ରମିକ ମାନଙ୍କୁ ପଠାଯାଇଛି ।
ସେହିପରି ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନଙ୍କୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ପିଡି.ଡିଆରଡିଏ, ଉପଜିଲ୍ଲାପାଳ ରାୟଗଡ଼ା , ଆର୍ଟିଓ, ପୌର ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ପ୍ରତ୍ୟେକ ଥର ଉପସ୍ଥିତ ରହି ସ୍ବାଗତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାର ୧୧୦୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ରାୟଗଡ଼ାରେ ପହଁଚିଛନ୍ତି । ସେମାନଙ୍କୁ ନିଜ ନିଜ ଜିଲ୍ଲା ଯଥା ଗଜପତିର ୨୪୩ଜଣ, କନ୍ଧମାଳର୧୦୬ଜଣ, କୋରାପୁଟର ୧୦୦ଜଣ, ମାଲକାନଗିରିର ୮୨ଜଣ, ନବରଙ୍ଗପୁରର ୩୫୫ଜଣ ଓ ରାୟଗଡ଼ାର ୨୧୪ଜଣ ମିଶି ସର୍ଵମୋଟ ୧୧୦୦ଜଣ ଶ୍ରମିକମାନଙ୍କୁ ପଠା ଯାଇଛି ।ଜିଲ୍ଲାର ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ସଂପୃକ୍ତ ବିଡ଼ିଓ ମାନଙ୍କୁ ହସ୍ତାନ୍ତର କରାଯାଇଛି ଓ ପ୍ରବାସୀମାନେ ତାଙ୍କ ବ୍ଲକର ସଂଗରୋଧ କେନ୍ଦ୍ରରେ ରହିଛନ୍ତି । ନିକଟରେ ଡ଼ଙ୍ଗରିଆ ଅଞ୍ଚଳର ଦୁଇ ଝିଅକୁ ଵିଜୟନଗରମରୁ ଏକ ସ୍ଵତନ୍ତ୍ର କାର ଯୋଗେ ଅଣାଯାଇ କଲ୍ୟାଣସିଙ୍ଗପୁର ବିଡ଼ିଓଙ୍କୁ ହସ୍ତାନ୍ତର କରଯାଇଥିଲା। ସେମାନେ ବର୍ତ୍ତମାନ ପାର୍ସାଲି ଗ୍ରା.ପ.ଅନ୍ତର୍ଗତ ସଂଗରୋଧ କେନ୍ଦ୍ରରେ ଅଛନ୍ତି ।
ସେହିପରି ରାୟଗଡ଼ା ପୋଲିସ ବିଭାଗ ମଧ୍ୟ ଆରକ୍ଷୀ ଅଧିକ୍ଷକ ଡ଼ଃ ଶର୍ବନା ବିବେକ ଏମଙ୍କ ନେତୃତ୍ବ ଓ ନିର୍ଦ୍ଦେଶରେ କେରେଡା ସୀମାନ୍ତ ନିୟନ୍ତ୍ରଣ କେନ୍ଦ୍ରରୁ ସିଧାସଳଖ ୧୯୦୪ଜଣକୁ ଅନ୍ୟ ରାଜ୍ୟକୁ ପଠାଯାଇଛି ।
ଏହିଭଳି ଭାବରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପରିସ୍ଥିତିକୁ ମୁକବିଲା କରିବା ନିମନ୍ତେ ସଦା ପ୍ରସ୍ତୁତ ହୋଇ ରହିଛି ।