12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୌରପାଳିକାର ପାଣ୍ଠିର ଅପବ୍ୟବହାର ଓ ଅନ୍ୟାନ୍ୟ ଦାବୀକୁ ନେଇ କାର୍ଯ୍ୟାଳୟ ଆଗରେ ଗଣ ଧାରଣା

କୋରାପୁଟଜିଲ୍ଲା (ସଖପ୍ର): ଆଜି ଜୟପୁର ପୌରପାଳିକା ସମ୍ମୁଖରେ କୋରାପୁଟଜିଲ୍ଲା ୟୁଥ ଅର୍ଗାନାଇଜେସନ ତରଫରୁ ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସିଛନ୍ତି। ଆବାହକ ରବିନ୍ଦ୍ର ମହାପାତ୍ରଙ୍କ ନେତୃତ୍ତ୍ବରେ ଏହି ଧାରଣାରେ ମହିଳା ଓ ପୁରୁଷ ମାନେ ବସିଛନ୍ତି। ପୌରପାଳିକା ତରଫରୁ ଜୟପୁର ସହର ଉନ୍ନତୀକରଣ, ରାସ୍ତାଘାଟ ଓ ନାଳ ନିର୍ମାଣ, ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଏହି ସବୁ ବିକାଶମୂଳକ କାର୍ଯ୍ୟ ପାଇଁ ପୌରପାଳିକା ନିଜ ପାଣ୍ଠିରୁ ଖର୍ଚ୍ଚ କରେ ଓ ସହର ବାସିନ୍ଦା ମାନଙ୍କ ଠାରୁ ବିଭିନ୍ନ କର ଆଦାୟ କରି ନିଜ ପାଣ୍ଠିରେ ଜମାକରେ। ସହରରେ ପୌରପାଳିକା ଯେଉଁ ବିକାଶମୂଳକ କାର୍ଯ୍ୟ କରୁଛି ତାହାକୁ ଜୟପୁରବାସୀ ସ୍ବାଗତ କରୁଛନ୍ତି। ଜୟପୁର ପୌରପାଳିକାରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବେପରୁଆ କାର୍ଯ୍ୟଶୈଳୀ ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ପୌରପାଳିକାର ଟଙ୍କା ପାଣିରେ ପଡୁଛି। ଏହାର ଉଦାହରଣ ବିଜୁ ଭେଣ୍ଡିଙ୍ଗ ଜୋନ ଠାରୁ ଡେଙ୍ଗାଗୁଡା ଶ୍ମଶାନ ରାସ୍ତା ନିର୍ମାଣର ୨ଦିନ ପରେ ରାସ୍ତାରୁ ଗୋଡି ବାହାରି ପଡିଲାଣି, ଏହି ନିମ୍ନମାନର ନିର୍ମାଣ ସକାଶେ ଦାୟୀ କିଏ ? ଗ୍ଲୋକାଲ ମେଡିକାଲ ସମ୍ମୁଖରେ ଶାନ୍ତି ନଗର ରାସ୍ତା ଓ ଶିଶୁ ମନ୍ଦିର ପଛପାଖ ରାସ୍ତା ନୂତନ ଭାବେ ନିର୍ମାଣ ହୋଇଥିଲା କିନ୍ତୁ ନାଳ ଠିକ୍ ସମୟରେ ନ କରିବାରୁ ସେହି ରାସ୍ତା ନଷ୍ଟ ହୋଇ ଗଲାଣି, ଏଥି ପାଇଁ ଦାୟୀ କିଏ ? ସହରର ସାହି ସାହିରେ ଇଲେକ୍ଟ୍ରି ଖୁଣ୍ଟରେ ଲାଗିଥିବା ଲାଇଟରୁ ୫୦ପ୍ରତିଶତ ଜଳୁ ନ ଥିବା ବେଳେ ୫୦ପ୍ରତିଶତ ଦିନ ରାତି ଜଳୁଛି, ଏଥିପାଇଁ ଦାୟୀ କିଏ ? ବିଧବା ମାନଙ୍କୁ ଭତ୍ତା ମିଳୁନାହିଁ, ଏଥିପାଇଁ ଦାୟୀ କିଏ ? ସହରରେ ବିଭିନ୍ନ ଗଳିରେ ନିମ୍ନମାନର ନାଳ ନିର୍ମାଣ ହୋଇଛି ଓ ଯେଉଁ ଠାରେ ନାଳ ଉପରେ ସିମେଣ୍ଟ ପ୍ଲେଟର ଘୋଡଣି ଦରକାର ନାହିଁ ସେଠାରେ ସିମେଣ୍ଟ ପ୍ଲେଟ କରି ପକାଯାଉଛି, ତାହା ପୁଣି ନିମ୍ନ ମାନର, ଏଥିପାଇଁ ଦାୟୀ କିଏ ? ୨୦୨୧ ମସିହା ଅଗଷ୍ଟ ମାସ ୯ ତାରିଖରେ ୟୁଥ୍ ଅର୍ଗାନାଇଜେସନ ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ସହରର ସମସ୍ୟା ସମାଧାନ କରିବାକୁ ଦାବୀ ପତ୍ର ଦିଆଯାଇଥିଲା। ପୌର ଅଧିକାରୀ କୌଣସି ସନ୍ତୋଷ ଜନକ ପଦକ୍ଷେପ ନ ନେବାରୁ ଧାରଣା ଦିଆଯାଇଥିବା ଆବାହକ ରବିନ୍ଦ୍ର ମହାପାତ୍ର କହିଛନ୍ତି।

ଜୟପୁରରୁ ସନ୍ତୋଷ କୁମାର ପାତ୍ରଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *