ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେକ ଭିୟୁ ପାର୍କ ଉଦଘାଟନ କଲେ

ଛତ୍ରପୁର ୧୯/୦୩(ସଖପ୍ର): ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକ ତାମ୍ପରାରେ ଉଦଘାଟିତ ହୋଇଛି ଲେକ ଭିୟୁ ପାର୍କ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପାର୍କକୁ ଉଦଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮ କୋଟି ଟଙ୍କା ବ୍ୟୟରେ ଏହି ପାର୍କର ସୌନ୍ଦର୍ଯ୍ୟକରଣ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ସଚିବ ଭିଶାଲ କୁମାର ଦେବ ମଧ୍ୟ ଯୋଗ ଦେଇଥିଲେ। ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ବହୁତ ଆଗକୁ ଯାଇଛି। ପୂର୍ବରୁ ଗଞ୍ଜାମ ଜିଲ୍ଲାବାସୀ ବୁଲିବା ନିମନ୍ତେ ଜିଲ୍ଲା ବାହାରକୁ ଯାଉଥିଲେ ।କିନ୍ତୁ ବର୍ତ୍ତମାନ ତାମ୍ପରାର ନୂଆ ରୂପ ସମସ୍ତଙ୍କୁ ବେଶ ଆକର୍ଷିତ କରିପାରିବ। ଏହାଛଡା ତାମ୍ପରା ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ନାମ କମାଇପାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏହାସହ ଗଞ୍ଜାମ ଜିଲ୍ଲା ପାଇଁ ଦୁଇଟି ପ୍ରକଳ୍ପ ଆରମ୍ଭ କରିବା ନେଇ ଯୋଜନା ରହିଛି। ଗୋପାଳପୁର ପୋର୍ଟରେ ଏଲଏନଜି ଟର୍ମିନାଲ ଲଗାଯିବାର ବ୍ୟବସ୍ଥା କରାଯିବ। ଯାହାଫଳରେ ସ୍ବଚ୍ଛ ଓ ଶସ୍ତାରେ ଲୋକଙ୍କୁ ଇନ୍ଧନ ମିଳିପାରିବ। ଏହାଛଡା ପ୍ରତି ଘରକୁ ପାଇପ ଯୋଗେ ରନ୍ଧନ ଗ୍ୟାସ ମଧ୍ୟ ଯୋଗାଇ ଦିଆଯିବ । ସେହିପରି ଜିଲ୍ଲାରେ ଏକ ତେଲ ଡିପୋ କରିବାର ମଧ୍ୟ ଯୋଜନା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଓ ଛତ୍ରପୁର ଉପଜିଲ୍ଲାପାଳ, ଛତ୍ରପୁର ବିଧାୟକ, ବିଡିଏ ଉପାଧ୍ୟକ୍ଷଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ପ୍ରତିନିଧି ନିବାସୀ ଗୌଡ଼ଙ୍କ ସହ ଗଜେନ୍ଦ୍ର କୁମାର ସାହୁ