01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ପ୍ରେସ ଇସ୍ତାହାର କରି ପ୍ରଶ୍ନ କଲା “ପୋଲା ଭରମ ପ୍ରକଳ୍ପ ବିରୋଧି ମଞ୍ଚ”

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା ମୋଟୁ ଠାରେ ଚାଲିଥିବା ବହୁ ବିବାଦୀୟ ତଥା ଆନ୍ଧ୍ର ପ୍ରଦେଶ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ସମୟରେ ୧୯୪୧ ସାଲରେ ତତ୍କାଳିନ ଦିବାନ ବାହାଦୁର ଏଲ . ଭେଙ୍କଟ କ୍ରିୟାନ୍ ଆୟାର ଗୋଦାବରୀ ନଦୀରେ ପୋଲାଭରମ ଗ୍ରାମ ନିକଟରେ ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ବିଧିବଦ୍ଧ ଭାବେ ତତ୍କାଳିନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରାଜଶେଖର ରେଷ୍ଟି ୨୦୦୪ ମସିହାରେ କାର୍ଯ୍ୟାରମ୍ଭ କରିଥିବା ବେଳେ ଏହି ପ୍ରକଳ୍ପକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନର ସୂତ୍ର ବାହାରି ପାରିନାହିଁ । ଏହି ପ୍ରକଳ୍ପକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଶୁକ୍ରବାର ଦିନ ସୀମାନ୍ତ ମୋଟୁ ଆଶ୍ରୟ ସ୍ଥଳ ନିକଟରେ ଓଡିଶା, ଆନ୍ଧ୍ର, ଛତିଶଗଡ଼ ଓ ତେଲେଙ୍ଗାନା 4 ରାଜ୍ୟ ପୋଲାଭରମ ବିରୋଧୀ ମଞ୍ଚ ପକ୍ଷରୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ନବରଙ୍ଗପୁରର ପୁର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ କେତେ ଗୁଡିଏ ପ୍ରଶ୍ନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ପିପୁଲ ଏଗ୍ନେଷ୍ଟ ପୋଲାଭରମ ମଞ୍ଚର ସଭାପତି ପ୍ରଭାକର ହନ୍ତାଳ, ଉପ ସଭାପତି ଦାରି ଲିଙ୍ଗା, ପୂର୍ବତନ ବିଧାୟକ ତଥା ସଦସ୍ୟ ମାନସ ମାଡକାମି, ଯୁଗ୍ମ ସମ୍ପାଦକ ଏ ଡି ଦେବଦାନମ, ସାଧାରଣ ସମ୍ପାଦକ ସୁନାମ ଭେଙ୍କଟ ରମଣ, ସାଙ୍ଗଠନିକ ସମ୍ପାଦକ ପି ବିଜୟଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ନିକଟରେ ଓଡ଼ିଶା ରାଜ୍ୟ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁର ପ୍ରାକ୍ତନ ସାଂସଦ ଶ୍ରୀ ପ୍ରଦୀପ ମାଝି ପୋଲାଭରମ ଡ୍ୟାମ ଦ୍ବାରା ପ୍ରଭାବିତ ହେବାକୁ ଥିବା ମୋଟୁ ଅଞ୍ଚଳ ପରିଦର୍ଶନ କରିଥିଲେ । ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ପିପୁଲ୍ ଏଗ୍ନେଷ୍ଟ ପୋଲାଭରମ ମଞ୍ଚ ତରଫରୁ କେତୋଟି ପ୍ରଶ୍ନ କରାଯାଇଛି। ପୋଲାଭରମ ମାମଲା ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ଅବସ୍ଥାରେ ତତ୍କାଳିନ କଂଗ୍ରେସ ( ଉପା ) ସରକାର ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ପ୍ରଦାନ କଲେ । ଆଉ ମଧ୍ୟ ସେ ସମୟରେ ପ୍ରଦୀପ ମାଝୀ କଂଗ୍ରେସ ଦଳର ନବରଙ୍ଗପୁର ସାଂସଦ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ପୋଲାଭରମ ପ୍ରକଳ୍ପ ନିର୍ମାଣ ଦ୍ବାରା ମାଲକାନଗିରି ଜିଲ୍ଲାର କିଛି କ୍ଷତି ହେବନାହିଁ ବୋଲି କହିଥିଲେ। ଶ୍ରୀ ମାଝୀ ଚଳିତ ମାସ ପାଞ୍ଚ ତାରିଖ ଦିନ ତାଙ୍କ ନେତୃତ୍ବରେ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳ ମୋଟୁ ଅଞ୍ଚଳ ଗସ୍ତକରି ବର୍ଷାଦିନେ ପୋଲାଭରମ ପଛୁଆ ଜଳ ଦ୍ବାରା ମୋଟୁ , ପୋଷୁଗୁଡା , ବିନୟାକପୁର , ଆଲମା , ପେଟା ସମେତ ୨୦ ଖଣ୍ଡ ଗ୍ରାମ ପ୍ରଭାବିତ ହେବାକୁ ଥିବାର ଅଭିଯୋଗ କରିବା କେତେଦୂର ଯୁକ୍ତିଯୁକ୍ତ ? କ୍ଷମତାରେ ଥିଲେ ଗୋଟିଏ କଥା ଆଉ କ୍ଷମତାରେ ନଥିଲେ ଅଲଗା କଥା ? ପୋଲାଭରମକୁ ନେଇ ହୀନ ରାଜନୀତି କରୁଥିବା ସ୍ପଷ୍ଟ ପ୍ରମାଣିତ ହେଉନାହିଁ କି ବୋଲି ପ୍ରଶ୍ନ କରିଛନ୍ତି। ପୋଲାଭରମ ତ୍ୟାଗ ନ ଥାଇ ୧୯୮୬ ଓ ୨୦୦୬ ବନ୍ୟାର ପଛୁଆ ଜଳଦ୍ବାରା ମାଲକାନଗିରି ଜିଲ୍ଲାର ୪ଟି ବ୍ଲକ ଯଥା- କାଲିମେଳା , ପଡ଼ିଆ , କୋରୁକୋଣ୍ଡା ଓ ମାଥିଲି ବ୍ଲକର ପ୍ରାୟ ୧୩୦ ଖଣ୍ଡ ଗ୍ରାମ ପ୍ରଭାବିତ ହେଇଛି। ଏହି ଡ୍ୟାମ ନିର୍ମାଣ ହେଲେ ମାଲକାନଗିରି ଜିଲ୍ଲାର କ୍ଷୟକ୍ଷତି କଳ୍ପନାରୁ ବାହାରେ । ଏହା ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଜାଣନ୍ତି କି ନାହିଁ, ଯଦି ଜାଣନ୍ତି ତା ହେଲେ ସେ ଏ ସଂପର୍କରେ କେତେଥର ପାର୍ଲାମେଣ୍ଟରେ ପ୍ରଶ୍ନ କରିଛନ୍ତି ଓ କେତୋଟି ପବ୍ଲିକ ମିଟିଙ୍ଗରେ ସ୍ବର ଉତ୍ତୋଳନ କରିଛନ୍ତି ? କଂଗ୍ରେସର ହେଭି ୱେଟ ନେତାଙ୍କ ହସ୍ତକ୍ଷେପ ଆଉ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ପ୍ରକାରେ ଜନ ଶୁଣାଣି ଦ୍ବାରା ନିୟମଗିରି ବେଦାନ୍ତ ପ୍ରକଳ୍ପ ବନ୍ଦ ହେଲା । ଏ ପୋଲାଭରମ ପ୍ରକଳ୍ପ ନିର୍ମାଣ କରିବା ସକାଶେ “ ପେସା ” ଆଇନକୁ ଆଧାର କରି ଜନ ଶୁଣାଣି ନିମନ୍ତେ ତତ୍କାଳିନ ନବରଙ୍ଗପୁର ସାଂସଦ ଶ୍ରୀ ମାଝା କେତେଥର ପାର୍ଲାମେଣ୍ଟରେ ପ୍ରଶ୍ନ ଉଠେଇଛନ୍ତି ଓ କେତୋଟି ପୋଲାଭରମ ବିରୋଧୀ ରାଲି କରିଛନ୍ତି ଟିକେ ଜଣେଇବେ କି ?

୨୦୧୯ ମସିହାରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ମାନ୍ୟବର ସୁପ୍ରିମ କୋର୍ଟରେ ଦାଖଲ କରିଛନ୍ତି କି , ଓଡ଼ିଶା ଓ ଛତିଶଗଡ଼କୁ ପୋଲାଭରମ କ୍ଷତି ପୂରଣ କିମ୍ବା ପୁନର୍ବସତି ଦେବାର ଆବଶ୍ୟକତା ନାହିଁ । କାରଣ , ଉଭୟ ସିଲେରୁ ଓ ସାବେରୀ ନଦୀର ଉଭୟ କୂଳରେ ସେମାନେ ଆଡ଼ିବନ୍ଧ ନିର୍ମାଣ କରିବେ ପୋଲାଭରମ ପଛୁଆ ଜଳ ଓଡ଼ିଶା ଛତିଶଗଡ଼ ମାଟିରେ ପ୍ରବେଶ ନ କରିବାକୁ । ଯଦି ଆଡିବନ୍ଧ ନିର୍ମାଣ କରାଯାଏ , ତା ‘ ହେଲେ ବର୍ଷାଦିନେ ଜିଲ୍ଲାର ବିଭିନ୍ନ ନଦୀ ନାଳର ବନ୍ୟାପାଣି ନିଷ୍କାସନ ହେଇନପାରି ଅଧା ମାଲକାନଗିରି ପ୍ରଭାବିତ ହେବ । ଏ ଦିଗରେ ସେ କେତେ ପରିମାଣରେ ଜନ ସଚେତନତା ସୃଷ୍ଟି କରିଛନ୍ତି । ପୋଲାଭରମ ଡ୍ୟାମ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାରୁ ଚଳିତ ବର୍ଷ ଆନ୍ଧ୍ର ସରକାର ଅନେକ ଗ୍ରାମର ଲୋକଙ୍କୁ ବୁଡି ଅଞ୍ଚଳ ହେବାକୁ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି । ମାଟିବନ୍ଧ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ମାଲକାନଗିରି ଜିଲ୍ଲାର ସିଲେରୁ ଓ ସାବେରୀ ନଦୀ ଓଡ଼ିଶା ମାନଚିତ୍ରରୁ ଲୋପ ପାଇଯିବ । ଏହା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଜାଣନ୍ତି କି ନାହିଁ, ଯଦି ଜାଣନ୍ତି ତା ହେଲେ ତାଙ୍କ ସାଂସଦ ଅବଧି କାଳରେ କେତେଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି ଟିକେ ଜଣେଇବେ କି? ପୋଲାଭରମ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆମ ପାପ୍ ସଂଗଠନ ବି ମାନ୍ୟବର NGT ( ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ) ର ଦ୍ବାରସ୍ତ ହୋଇଥିଲା । ଗତବର୍ଷ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ପୋଲାଭରମ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ NGT ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ର ସରକାର ଆଲୋଚନାକୁ ନ ଆସି ସମସ୍ତ ନୀତିନିୟମକୁ ଉଲଂଘନ କରି ପୋଲାଭରମ କାମ ଆଗେଇ ନେଇଛନ୍ତି । ଏ ସମସ୍ତ ବିଷୟ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଜାଣନ୍ତି କି ନାହିଁ ? ଯଦି ଜାଣନ୍ତି ତା ‘ ହେଲେ ଏ ସଂପର୍କରେ ସେ କି ପଦକ୍ଷେପ ଗ୍ରହଣ କରିଛନ୍ତି ଟିକେ ଜଣେଇବେ କି ? ଭାରତ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ବ ସ୍ତରୀୟ ଜୈବ ବିବିଧତା ସମ୍ମିଳନୀ ୯୫ ଦେଶର ପ୍ରତିନିଧିଙ୍କୁ ନେଇ ହାଇଦ୍ରାବାଦ ଠାରେ ୨୦୧୨ ମସିହାରେ ଅକ୍ଟୋବର ୦୧ ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତତ୍କାଳିନ ପ୍ରଧାନ ମନ୍ତ୍ରୀ ଶ୍ରୀ ମନମୋହନ ସିଂ ଯୋଗଦେଇ ସମସ୍ତ ଜଳଚର ଓ ସ୍ଥଳଚର ପ୍ରାଣୀ ସମେତ ପକ୍ଷୀ ଜାତୀୟ ସଂପଦକୁ ସୁରକ୍ଷା ଦେବାସହ ବିଧ୍ବଂସ ନ କରିବାକୁ ବିଶ୍ବ ସ୍ତରୀୟ ପ୍ରତିନିଧିଙ୍କ ସମ୍ମୁଖରେ ମିଥ୍ୟା ବକ୍ତବ୍ୟ ରଖିଲେ । କାରଣ , ପୋଲାଭରମ ପ୍ରକଳ୍ପଦ୍ଵାରା ଦୁଇଟି ଅଭୟାରଣ୍ୟ ପାପିକୋଣ୍ଡା ଓ କୋରିଙ୍ଗ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେବାକୁ ଯାଉଛି । ସେ ଅଭୟାରଣ୍ୟରେ ଥିବା ବିଭିନ୍ନ ପଶୁ ସଂପଦ , ପକ୍ଷୀ ସଂପଦ ଆଉ ସରୀସୃପ ସଂପଦ ସମେତ ମାଲକାନଗିରି ଜିଲ୍ଲାର ବି ଜୈବ ବିବିଧତା ନଷ୍ଟ ହେବାକୁ ବସିଲାଣି । ଏ ସମସ୍ତ ଖବର ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝାଙ୍କ ପାଖରେ ଅଛିକି ନାହିଁ ? ଯଦି ଅଛି ତା ହେଲେ ସେ କେତେଥର ମାଲକାନଗିରି ବନ୍ଦ ଡାକରା ଦେଇଛନ୍ତି ଏ ସଂକ୍ରାନ୍ତରେ ଟିକେ ଜଣେଇବେ କି ? ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଇନ୍ଦ୍ରାବତୀ , ଭାସ୍କେଲ , ଚିତ୍ରକୋଣ୍ଡା , ସତୀଗୁଡ଼ା , ଅପର କୋଲାବ , ଜଲାପୁଟ , ମାଛକୁଣ୍ଡ ଇତ୍ୟାଦି ତ୍ୟାମ ପ୍ରକଳ୍ପ ଦ୍ବାରା ବୁଡ଼ି ଅଞ୍ଚଳ ହେବାରୁ ଲକ୍ଷାଧିକ ଲୋକ ନିଜର ଭିଟାମାଟି ଛାଡି ଦେଶର ବିକାଶ ସକାଶେ ବିସ୍ଥାପିତ ହୋଇ ପୁନର୍ବସତି ନ ପାଇ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ଏ ନିରୀହ ଆଦିବାସୀ , ଦଳିତ ଆଉ ପଛୁଆବର୍ଗଙ୍କ ଦୁଃଖ କଷ୍ଟ ସମ୍ପର୍କରେ ଜାଣନ୍ତି କି ନାହିଁ ? ମାଲକାନଗିରି ଜିଲ୍ଲା ପୂର୍ବତନ ଜିଲ୍ଲାପାଳ ଡଃ ଭେଦୁଲା ବିଜୟଙ୍କ ଲଘୁ ଖଣିଜ ଖାଦାନ ଟେଣ୍ଡର ସଂପର୍କରେ ମୁଁ ଏଠାରେ ଉଲ୍ଲେଖ କରୁନାହିଁ, କାରଣ ତାହା ତଦନ୍ତ ସାପେକ୍ଷ କିନ୍ତୁ ପୂର୍ବତନ ଜିଲ୍ଲାପାଳଙ୍କ ନାମରେ କୌଣସି ପ୍ରମାଣ ନଥାଇ ଏକ କୋଟି ଟଙ୍କାର ଉତ୍କାର ଅଭିଯୋଗ ଆଣିବା ଅପରିପକ୍ଵତାର ପରିଚୟ ଦିଏ । ଜିଲ୍ଲାର କିଛି ଧନୀକ ଶ୍ରେଣୀର ପ୍ରଭାବଶାଳୀ କ୍ରସର ମାଲିକଙ୍କ କୁଆଁରୀ ଟେଣ୍ଡରରେ ସମସ୍ୟା ହେବାରୁ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ତୁରନ୍ତ ମାଲକାନଗିରି ଚାଲିଆସି ଘନଘନ ପ୍ରେସ୍‌ମିଟ କରିବା ପଛର ରହସ୍ୟ କଣ ? ଆଉ ଇନ୍ଦିରା ସାଗର ବହୁମୂଖୀ ପୋଲାଭରମ ଡ୍ୟାମ ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲାରେ ପ୍ରଭାବିତ ହେବାକୁ ଥିବା ୧୩୦ ଖଣ୍ଡ ଗ୍ରାମରୁ ଉର୍ଦ୍ଧ୍ବ ଗରୀବ ପାରିପାର୍ଶିକ ଉନ୍ନତ୍ତା ବାବଦକୁ ପାନୀୟ ଜଳର ଆବଶ୍ୟକତା ଥିବା ଗାଁ ମାନଙ୍କରେ ନଳକୂପ ଖନନ , ଆଲୁଅ ନଥିବା ଗ୍ରାମ ଗୁଡିକରେ ଷ୍ଟ୍ରିଟ୍ ଲାଇଟ ଲଗାଇବା , ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ମୋଟୁ ଜଗନ୍ନାଥ ମନ୍ଦିରର ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ଓ ମୋଟୁ ଠାରେ ଏକ ନୂତନ ପାର୍କ ନିର୍ମାଣ କରିବାର କାର୍ଯ୍ୟକ୍ରମ ଭିଡି ଗ୍ରାନାଇଟ୍ କମ୍ପାନୀ ହାତକୁ ନେଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା , ପୂର୍ବରୁ ମୋଟୁ ଅଞ୍ଚଳର ଲୋକେ କାମଧନ୍ଧା ନପାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶକୁ ଯାଉଥିଲେ । ବର୍ତ୍ତମାନ ଶହ ଶହ ଲୋକ ନିୟମିତ ଓ ଦିନ ମଜୁରିଆ ଭାବେ ଭିଜି ଗ୍ରାନାଇଟ୍ କମ୍ପାନୀରେ କାମକରି ନିଜ ପରିବାର ପରିପୋଷଣ କରୁଛନ୍ତି । ମାଲକାନଗିରି ମୋଟୁ ୩୨ ୬ ଜାତୀୟ ରାଜପଥର ଏମ.ପି.ଭି – ୫୫ ମୁଖ୍ୟ ରାସ୍ତା କଡ଼ରେ ଘର ନିର୍ମାଣ ସକାଶେ ଭିଜି ଗ୍ରାନାଇଟ୍ କମ୍ପାନୀ ଜମି ଲିଜ୍ ବାବଦକୁ ଆବଶ୍ୟକୀୟ ଅର୍ଥରାଶି ସରକାରଙ୍କୁ ପୈଠ କରିଥିବା ଜଣାପଡିଛି । ଜିଲ୍ଲାର କିଛି ଧନୀକ ଶ୍ରେଣୀର ପ୍ରଭାବଶାଳୀ ଲୋକଙ୍କ ହାତ ବାରିସି ସାଜିଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝାଙ୍କ ଅସଲି ରୂପ ବର୍ତ୍ତମାନ ପଦାରେ ପଡିଛି । ମୋଟୁ ଅଞ୍ଚଳର ଗରିବ ଆଦିବାସୀଙ୍କ ସୁଖ ବୋଧେ ସେ ସହଜରେ ହଜମ କରିପାରୁନାହାନ୍ତି । ଗୋଟିଏ କମ୍ପାନୀ ବାହାରୁ ଆସି ଏଠାରେ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଉଛି । ଆମ ଅଞ୍ଚଳର ଶହ ଶହ ଆଦିବାସୀଙ୍କ ପେଟରେ ଲାତ ମାରିବାକୁ ସେ ଏବେ ଭିଜି ଗ୍ରାନାଇଟକୁ ନିଶାଣ କରୁଥିବାରୁ ଜିଲ୍ଲାବାସୀ ତାଙ୍କୁ ଏବେ ସନ୍ଦେହ ଚକ୍ଷୁରେ ଦେଖିବା ସହ ଘୋର ବିରୋଧ କରୁଛନ୍ତି । ତା ଉପରେ ଏପରି ଜୁଲୁମ କଲେ ଏହି ଜିଲ୍ଲାକୁ ଆଉ ଶିଳ୍ପ ପ୍ରତିଷ୍ଠା କରିବାକୁ କୌଣସି କମ୍ପାନୀ ଆସିବେ କି ?

ଆମ ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ଓ ଆମ ଲୋକଙ୍କ ଜୀବନ ଉପରୋକ୍ତ ସମସ୍ତ ବିଷୟ ଆମୂଳଚୂଳ ଅନୁଧ୍ୟାନ କଲେ ସ୍ପଷ୍ଟଭାବେ ପ୍ରମାଣିତ ହେଉଛି କି , ପ୍ରଦୀପ ମାଝୀ ଗରିବ ଆଦିବାସୀ ଆଉ ମଳି ମୁଣ୍ଡିଆଙ୍କ ସାଥୀ ନୁହନ୍ତି । ଧନୀକ ଶ୍ରେଣୀର ବନ୍ଧୁଭାବେ ମାଲକାନଗିରି ଜିଲ୍ଲାରେ ସେ ଭଲ ପରିଚୟ ସୃଷ୍ଟି କରିପାରିଛନ୍ତି । ଏବେ କହୁଛନ୍ତି ମୋଟୁ ସମେତ ୨୦ ଖଣ୍ଡ ଗ୍ରାମ ବୁଡ଼ିବାରେ ଦ୍ବିମତ ନାହିଁ । ପୋଲାଭରମକୁ ନେଇ ଶ୍ରୀ ମାଝାଙ୍କର ଏହା ଭୋଟ ବ୍ୟାଙ୍କ ତିଆରି ରାଜନୀତି ନୁହେଁ ତ ଆଉ ଅନ୍ୟ କଣ ହୋଇପାରେ ? ପିପୁଲ ଏଗ୍ନେଷ୍ଟ ପୋଲାଭରମ ପ୍ରୋଜେଟ ” ( ପାସ୍ ) ମଞ୍ଚ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝାଙ୍କୁ ଆହ୍ବାନ ଦେଉଛି , ସେ ହୀନ ରାଜନୀତିରୁ ନିବୃତ ହୋଇ ଧନୀକ ଶ୍ରେଣୀ ଲୋକଙ୍କ ସମେତ ମୁଖ୍ୟତଃ ଗରିବ ପ୍ରଜାଙ୍କ ହିତ ଉଦ୍ଦେଶ୍ୟରେ କାମ କରନ୍ତୁ , ନଚେତ୍ ଏ ମାଲକାନଗିରି ଜିଲ୍ଲାବାସୀ ଆଗାମୀ ଦିନରେ ତାଙ୍କୁ ଉଚିତ୍‌ ଜବାବ ଦେବେ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରୀପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *