ପୁରୁଣା କୋରାପୁଟ ନିକଟ ଅଙ୍ଗନବାଡି ଗୃହ ପାଲଟିଛି ଗାଈ ଗୁହାଳ
କୋରାପୁଟଜିଲ୍ଲା ୦୧/୦୧/୨୦୨୧(ସଖପ୍ର): କୋରାପୁଟ ବ୍ଲକ ଅନ୍ତର୍ଗତ ପୁରୁଣା କୋରାପୁଟ ନିକଟର ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟରେ ଦେଖିବାକୁ ମିଳିଛି ଜିଲ୍ଲା ପ୍ରଶାସନର ଅବହେଳା। ଆଜକୁ ପ୍ରାୟ ୫ବର୍ଷ ହେଲା ପୁରୁଣା କୋରାପୁଟ ଠାରେ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଏହି ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବା ହେତୁ ବର୍ତ୍ତମାନ ଏହି ଗୃହ ପାଲଟିଛି ଗାଈ ଗୁହାଳ। କେଉଁ ପରିସ୍ଥିତିରେ ଏହି କାର୍ଯ୍ୟ ବନ୍ଦରହିଲା ଓ ସ୍ଥାନୀୟ ବିଧାୟକଙ୍କର ନଜର କାହିଁକି ଏହି ଅର୍ଦ୍ଧନିର୍ମିତ ଅଙ୍ଗନବାଡି ଗୃହ ଉପରେ ପଡୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, କିନ୍ତୁ ଅଙ୍ଗନବାଡି କର୍ମୀ ରୁନି ଦିଦି ଏଠିକାର କୁନି କୁନି ଶିଶୁମାନଙ୍କୁ ନେଇ ନିକଟରେ ଥିବା ସରକାରୀ ସ୍କୁଲରେ ପାଠ ପଢାଉଛନ୍ତି ଏବଂ ଶିଶୁ ମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇଦେଉଛନ୍ତି। ପୁରୁଣା କୋରାପୁଟର ଅଭିଭାବକ ମାନେ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପାଖକୁ ଯାଇ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇନାହିଁ। ଜିଲ୍ଲାପ୍ରଶାସନ ଏହି ଅର୍ଦ୍ଧନିର୍ମିତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି।
କୋରାପୁଟଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଗଜେନ୍ଦ୍ର କୁମାର ସାହୁ