ପୁରୀରୁ ଗୁଜରାଟର ୧୫ ଜଣ ତୀର୍ଥଯାତ୍ରୀ ନିଜ ଘରକୁ ଫେରିଲେ
ପୁରୀ: ବିଶ୍ବ ମହାମାରୀ କରୋନା କଟକଣା ତାଲା ବନ୍ଦ ଯୋଗୁଁ ପୁରୀରେ ୧୫ ଜଣ ଗୁଜରାଟି ତୀର୍ଥଯାତ୍ରୀ ଅଟକି ରହିଥିଲେ । ଦୀର୍ଘ ୪୫ ଦିନ ପରେ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖାର ସଚିବ ଶ୍ରୀମତୀ ସୁପ୍ରୀତି ରଥଙ୍କ ସହିତ ଯୋଗାଯୋଗ କରିବାରେ, ପରିଷଦ ପୂର୍ବ କ୍ଷେତ୍ରର ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଓ ପୁରୀ ସେବା ସମିତିର ସହ ସଂପାଦକ ସୈାମେନ୍ଦ୍ର ଦାସ ସେମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା କ୍ରମେ ସେମାନେ ଗୁଜରାଟର ଭଲସାଦ, ସୁରଟ, ରାଜକୋଟ ଓ ଜାମନଗରର ଅଧିବାସୀ ଜାଣିବା ପରେ ଗୁଜରାଟ ସରକାରଙ୍କ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରାଯାଇଥିଲା । ପରିଷଦ ଏବଂ ପୁରୀ ଜିଲ୍ଲାପାଳଙ୍କ ସହଯୋଗରେ ଦୀର୍ଘ ୪୮ ଦିନ ଅଟକି ରହିଥିବା ୧୫ ଜଣ ତୀର୍ଥଯାତ୍ରୀ ଆଜି ନିଜ ଘର ଅଭିମୁଖେ ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମେ ଗୋପବନ୍ଧୁ ଆୟୂର୍ବେଦ ମହାବିଦ୍ୟାଳୟ କୋଭିଡ କେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ତୀର୍ଥଯାତ୍ରୀ ମାନେ ଯେଉଁ ଗାଡ଼ିରେ ଯିବେ ସେ ଗାଡିର ଗାଡ଼ି ଚାଳକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ଜାଣି ଜିଲ୍ଲା ପ୍ରଶାସନ ସେମାନଙ୍କୁ ଯିବାପାଇଁ ଅନୁମତି ଦେବା ସହିତ ଗାଡ଼ି ପାସ ମଧ୍ୟ ପ୍ରଦାନ କରିଥିଲେ ।
ପୁରୀଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂ