ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ…

ମାଲକାନଗିରି (ସଖପ୍ର): ପୁଣି ମାଲକାନଗିରି ଜିଲ୍ଲାରେ ଆଜି ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ବିଚ୍ଛିନ୍ନାଞ୍ଚଳ ଗ୍ରାମ ଗଙ୍ଗାପଡାରେ | ଗଙ୍ଗାପଡା ଗ୍ରାମର ଲୋଚନ ବିଷୋୟୀଙ୍କ ସ୍ତ୍ରୀ ସୁବୁଦ୍ରୀ ବିଷୋୟୀ ଗର୍ଭବତୀ ଅବସ୍ଥାରେ ଥିଲେ। ହଠାତ ଆଜି ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଗ୍ରାମକୁ ରାସ୍ତା ନଥିବାରୁ ଉକ୍ତ ଗ୍ରାମର ୨ ଯୁବକ ବାଧ୍ୟହୋଇ ପାହାଡ଼ ପଥୁରିଆ ରାସ୍ତା ଦେଇ ପ୍ରଥମେ ଗଙ୍ଗାପଡାରୁ ବାୟାପଡା ବୋହି ନେଇ ଆସିଥିଲେ। ପରେ ବାୟାପଡା ଗ୍ରାମରୁ ଅର୍ଜୁନ ଭଜ ନାମକ ଜଣେ ଛାତ୍ର ଏବଂ ସେହି ଗ୍ରାମର ଅନ୍ୟଜଣେ ଯୁବକ ବାୟାପଡା ଠାରୁ ତୁମ୍ବାପଦର ଗ୍ରାମକୁ ଆଣିଥିଲେ। ଆଶା ଦିଦି ପାଣ୍ଡ୍ରି ଭଜ ଏହି ଗର୍ଭବତୀ ମହିଳାଙ୍କ ସହ ମଧ୍ୟ ଚାଲି ଚାଲି ଆସିଛନ୍ତି। ଦୀର୍ଘ ୪୦ କିଲୋମିଟର ଭାରରେ ବୋହି ଆଣିବା ପରେ ତୁମ୍ବାପଦର ଗ୍ରାମରେ ଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ଆସି ଜଗି ରହିଥିଲା। ସେଠାରୁ ଗର୍ଭବତୀ ମହିଳା ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୁବୁଦ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ବେଳେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି। ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଛି କିନ୍ତୁ ଦେଖିବାକୁ ବାକିରହିଲା କେବେ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁଛି |