ପାଣି ଘେରରେ ମାଥିଲି ବ୍ଲକ ଅନ୍ତର୍ଗତ ଟେମୁରୁପାଲ୍ଲୀ…

ମାଲକାନଗିରି :ଗତ ୩ ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ଦ୍ୱାରା ପାହାଡ଼ରୁ ପାଣି ପ୍ରବେଶ କରି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୁରୁପାଲ୍ଲୀ ଗାଁ ପାଣି ଘେରରେ ରହି ପ୍ରାକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ପ୍ରାୟ ୫ଟା ସମୟ ଠାରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଦିନ ୯ଟା ବେଳକୁ ପାହାଡର ବୋହି ଆସୁଥିବା ଝରଣା ଧୀରେ ଧୀରେ ଜଳସ୍ତର ବଢ଼ିବାକୁ ଲାଗିଥିଲା। ଅପରାହ୍ନ ୧୨ଟା ବେଳକୁ ଟେମୁରୁପାଲ୍ଲୀ ଗାଁ ପୁରା ବନ୍ୟା ଜଳ ଘେରରେ ରହିଯାଇଥିଲା। ଗ୍ରାମର ପ୍ରବେଶ ପଥ ଆଗିରଯୋଡ଼ି ପୋଲ ଉପରେ ୫ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ଲୋକମାନେ ଗାଁରୁ କେହି ବାହାରକୁ କିମ୍ୱା ବାହାରକୁ ଆସିଥିବା ଗାଁର ଲୋକମାନେ ଆଉ ନିଜ ଘରକୁ ଫେରି ନପାରି ବାହାରେ ଅଛନ୍ତି। ଗୃହପାଳିତ ପଶୁ ସମେତ ମଣିଷ ବି ପୁରା ଜଳ ଘେରରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଗାଁରେ ଜଳ ସ୍ତର ସାମାନ୍ୟ କମିଥିଲେ ହେଁ ସ୍ଵାଭାବିକ ଅବସ୍ଥାକୁ ଆସି ନଥିବାର ସୂଚନା ମିଳିଛି। ଘଟଣା ସ୍ଥଳକୁ ମାଥିଲି ବ୍ଲକ ଓ ତହସିଲ କର୍ମଚାରୀ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।ବିଗତ ବର୍ଷ ଗୁଡିକ ଠାରୁ ସବୁ ରେକର୍ଡ଼ ଭାଙ୍ଗି ବର୍ଷା ଜଳ ଜୁଲାଇ ମାସରେ ଏପରି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ସେହି ପରି ତୁଳସୀ, କେରିମେଟି, ରାସ୍ତାରେ ମାଟି ଅତଡ଼ା ଖସି ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ବିଶେଷ କରି ତୁଳସୀ ପାହାଡରେ ନୂତନ ଭାବେ ସୀମା ସୁରକ୍ଷା ବଳ କ୍ୟାମ୍ପରେ ରହୁଥିବା ଯବାନ ମାନଙ୍କ ପାଖରେ ନିତ୍ୟ ସାମଗ୍ରୀ ପହଁଚିବା ବାଧା ଉପୁଜିଥିବା ଜଣାପଡିଛି। ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀ ପହଞ୍ଚି ନଥିବା ସୂଚନା ଦେଇଛନ୍ତି। ଚଳିତ ବର୍ଷ ପ୍ରଥମ ବର୍ଷାରେ ଯଦି ଟେମୁରୁପାଲ୍ଲୀ ପାଣି ଘେରରେ ରହୁଛି ତ ଆଗକୁ ଆହୁରି ବର୍ଷା ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ