03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପାଚେରୀ ନିର୍ମାଣରେ ଅନିୟମିତତା ଅଭିଯୋଗ


କୋରାପୁଟଜିଲ୍ଲା(ସଖପ୍ର): କଥାରେ ଅଛି ନେଇ ଆଣି ଥୋଇ ପାରିଲେ ଚୋରି ବିଦ୍ୟା ଭଲ। ଅର୍ଥାତ ଯାହା କିଛି ଦୁର୍ନୀତି କରିବ, ତାହାର କିଛି ଭାଗ ଉପର ହାକିମଙ୍କ ଟେବୁଲରେ କିମ୍ବା ବାବୁଙ୍କ ପକେଟରେ ଥୋଇ ପାରିଲେ, ଦେବତା ସହ ଖଟୁଳି ଖାଇ ଗଲେ ବି ଦୋଷ ନାହିଁ।
ନିକଟରେ ସର୍ବ ଭାରତୀୟ ସ୍ତରରେ ଏବଂ ରାଜ୍ୟରେ ପ୍ରଥମ ସ୍ଥାନ ଅକ୍ତିଆର କରି ଅଳଙ୍କୃତ ହୋଇଥିବା କୋଟପାଡ ଏନଏସିରେ ନିର୍ମାଣ କାର୍ଯ୍ୟ ଗୁଡିକ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। କୋଟପାଡ ଏନଏସି ଅଞ୍ଚଳରେ ପ୍ରତିଦିନ ସରକାରୀ ଜମି ଜବରଦଖଲ କରିବା କିଛି ଜମି ଦଲାଲଙ୍କ ପାଇଁ ଅଭ୍ୟାସ ହୋଇ ପଡିଲାଣି। ସେଥିପାଇଁ କୋଟପାଡ ଅଞ୍ଚଳରେ ସରକାରୀ ଜମିକୁ ବଞ୍ଚେଇବା ନାମରେ, ଜମି ଚାରିପଟେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏମିତି ଏକ କାର୍ଯ୍ୟ ସ୍ଥାନୀୟ ଭଇରବ ପଡିଆ ନିକଟରେ ଚାଲୁ ରହିଛି। ଶୁଣିବାକୁ ମିଳୁଛି ଯେ ଏହି ପାଚେରୀଟି “ପ୍ରୋଟେକ୍ସନ ଅଫ ଗଭର୍ଣ୍ଣମେଣ୍ଟ ଲେଣ୍ଡ” ଯୋଜନା ମାଧ୍ୟମରେ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ପାଇଁ ଅଟକଳ ମୂଲ୍ୟ ପ୍ରାୟ ୧୯.୮୩ ଲକ୍ଷ ଖର୍ଚ୍ଚ କରାଯାଉଥିବା ଖବର ମିଳିଛି। ହେଲେ ପାଚେରୀର ଫାଉଣ୍ଡେସନ ପାଇଁ ଯେତିକି ଖୋଳା ଯିବା କଥା, ସେତିକି ଖୋଳା ଯାଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହା ସହ ଯେତିକି ପରିମାଣରେ ସିମେଣ୍ଟ , ବାଲି ମିଶାଯିବା କଥା, ସେତିକି ମିଶ୍ରଣ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି।
ଏହାର ଖବର ପାଇ ଆମ ପ୍ରତିନିଧି କାର୍ଯ୍ୟସ୍ଥଳୀରେ ପହଞ୍ଚିଥିଲେ, ହେଲେ ସେହି ଜାଗାରେ କୌଣସି ସରକାରୀ ବାବୁ କିମ୍ବା ଯନ୍ତ୍ରୀ ମହାଶୟ ନଜର ଆସିଲେ ନାହିଁ। ଏହାପରେ ଆମ ପ୍ରତିନିଧି କୋଟପାଡ ଏନଏସି କାର୍ଯ୍ୟାଳୟରେ ପହଁଚି ନିର୍ବାହୀ ଅଧିକାରୀ କିମ୍ବା ଯନ୍ତ୍ରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ହେଲେ ଯନ୍ତ୍ରୀ ଶ୍ରୀ ସୁଧୀର ନନ୍ଦିଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳି ନଥିଲା।
ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁଯାୟୀ, ଯଦି ଏହି କାର୍ଯ୍ୟ ମାନଙ୍କର ଜିଲ୍ଲା ସ୍ତରୀୟ ଉଚ୍ଚ ପଦସ୍ଥ ଅଧିକାରୀ କିମ୍ବା ଭିଜିଲାନ୍ସ ଦ୍ୱାରା ଖୋଲତାଡ କରାଯାଏ, ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *