ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଭଙ୍ଗାଘର ସଜାଡିବାକୁ ଅଣ୍ଟା ଭିଡିଲା “ସିଡସ୍” ନାମକ ଅନୁଷ୍ଠାନ
ସମ୍ବଲପୁର (ସଖପ୍ର): ଭାରତ ସ୍ବାଧିନତା ପରେ ପରେ ୧୯୪୭ମସିହା ସେପ୍ଟେମ୍ବର ୧୩ତାରିଖରେ ସମ୍ବଲପୁର ମାଟିରେ ଜନ୍ମ ନେଇଥିଲେ ରଙ୍ଗବତୀ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ। ସେ ୭୩ବର୍ଷରେ ପଦାର୍ପଣ କରିଛନ୍ତି। ତେବେ ଆଣ୍ଠୁ ଜନିତ ସମସ୍ୟା ଓ ଅନ୍ୟାନ୍ୟ ଅସୁସ୍ଥତା ସତ୍ତ୍ବେ ତାଙ୍କ କଣ୍ଠର ଯାଦୁ ଆଜି ବି ସଂଗୀତପ୍ରେମୀଙ୍କୁ ମତୁଆଲା କରୁଛି।ମିତ୍ରଭାନୁ ଗୌନ୍ତିଆଙ୍କ ରଚିତ ତଥା ଡ଼ ହରିପାଲ ଓ ଡ଼ କ୍ରିଷ୍ଣା ପଟେଲଙ୍କ କଣ୍ଠସ୍ବରରେ ରେକର୍ଡ ହୋଇଥିବା ରଙ୍ଗବତୀ ଗୀତ ସାରା ବିଶ୍ବରେ ଲୋକପ୍ରିୟତା ହାସଲ କରିଛି। ଏହି ଗୀତଟି ଆଜି ବି ବାଜିଲେ ମନ ଓ ଶରୀର ଉଭୟ ଝୁମି ଉଠେ କିନ୍ତୁ ଏହାର ସ୍ରଷ୍ଟାମାନେ ଏବେ ବି ଦୁଃସ୍ଥ ଅବସ୍ଥାରେ ଅଛନ୍ତି। ବର୍ଷାରେ ଡ଼ ହରିପାଲଙ୍କ ମାଟିଘର ଭାଙ୍ଗିଯିବା ଘଟଣା କଳାକାରଙ୍କ ଅବସ୍ଥାକୁ ଦର୍ଶାଉଛି।ତାଙ୍କ ଘର ଭାଙ୍ଗିଯିବା ବିଷୟ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ପ୍ରଶାସନ ଯଥାସମ୍ଭବ ସାହାଯ୍ୟ ପାଇଁ ଅଣ୍ଟାଭିଡିଥିବା ବେଳେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ମଧ୍ୟ ଡ଼ ହରିପାଲଙ୍କ ସହାୟତା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। “ସିଡସ୍” ନାମକ ଏକ ଅନୁଷ୍ଠାନ ତାଙ୍କୁ ସହଯୋଗର ହାତ ବଢାଇବାକୁ ସହୃଦୟ ବ୍ୟକ୍ତି ମାନଙ୍କୁ ଆହ୍ବାନ ଦେଇଛି। ଡ଼ ହରିପାଲଙ୍କ ଭାଙ୍ଗିଯାଇଥିବା ଘରର ମରାମତି ପାଇଁ ଅତିକମରେ ୧ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇ ଦେବାକୁ “ସିଡସ୍” ଲକ୍ଷ ରଖିଛି।