05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପଟ୍ଟାଙ୍ଗିର ସେରୁବନ୍ଧରେ ଖଣି ଖନନ ନେଇ ତେଜୁଛି ଜନ ଅସନ୍ତୋଷ

କୋରାପୁଟଜିଲ୍ଲା/ପଟ୍ଟାଙ୍ଗି:(ସଖପ୍ର) ସେରୁବନ୍ଧ ପର୍ବତରେ ନାଲକୋ ଦ୍ବାରା ଖଣିଖନନ ପାଈଁ ପରିବେଶ ଅନୁମତିର ଜନ ଶୁଣାଣି ଗତ ୧୭ ତାରିଖ ଦିନ ପଟ୍ଟାଙ୍ଗି ଠାରେ ଅନୁଷ୍ଠିତ ହୋଇଥିଲା । ପଟ୍ଟାଙ୍ଗି , ନୂଆଗାଁ , ମାଳିପୁଟ ,କୋଟିଆ , ଖୁଡି ଓ ସୋରିଷପଦର ପଞ୍ଚାୟତ ବାସିନ୍ଦା ଖଣି ଖନନକୁ ତୀବ୍ର ବିରୋଧ କରିଥିଲେ।

ଅଧିକାରୀ ଭାବେ ଜନ ଶୁଣାଣିକୁ ଅଧ୍ୟକ୍ଷତା କରିଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ମଧ୍ୟ ସ୍ବୀକାର କରିବା ସହ ଏହା ସେହି ଛଅଟି ପଞ୍ଚାୟତର ଲୋକଙ୍କ ବିରୋଧ ଥିଲା ବୋଲି କ୍ୟାମେରା ସାମନାରେ କହିଥିଲେ। ତେବେ ଜନ ଶୁଣାଣିର ପନ୍ଦର ଦିନ ନପୂରୁଣୁ ସରକାରଙ୍କ କଥା ବାଆଁରେଇବା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଜନ ଶୁଣାଣିରେ ଉପସ୍ଥିତ ଥିବା ଜିଲ୍ଲାର ବରିଷ୍ଠ ଅଧିକାରୀ ବିରୋଧ ହୋଇଥିବା କହିଥିବା ବେଳେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ଆଜି ଦାମନଯୋଡିରେ ଏକ ସଭାରେ ଯୋଗ ଦେଇ କେଉଁ ଆଧାରରେ ଏହି ବିରୋଧକୁ କମ୍ପାନୀ ପାଇଁ ସମର୍ଥନ ବୋଲି କହିବାକୁ ବାଧ୍ୟ ହେଲେ ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜନଶୁଣାଣିରେ ଜନତାଙ୍କ ବିରୋଧକୁ ପରିଲକ୍ଷିତ କରି ସାଧାରଣ ଜନତା ଯେଉଁ ସବୁ ବିଷୟରେ ଉଦବେଗ ପ୍ରକାଶ କରିଛନ୍ତି ସେସବୁ ଦିଗରେ ପଦକ୍ଷେପ ନ ନେବା ଯାଏଁ ଖଣି ଖୋଳିବାପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜନ ଶୁଣାଣିରେ ଯୋଗ ଦେଇଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ସେହି ଦିନ ଦୃଢୋକ୍ତି ପ୍ରକାଶ କରିଥିଲେ। ସ୍ଥାନୀୟ ବିଧାୟକଙ୍କ ଏପରି ମନ୍ତବ୍ୟକୁ ପଟାଙ୍ଗି ବ୍ଲକର ଛଅ ଗୋଟି ପଞ୍ଚାୟତର ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ପଟାଙ୍ଗି ଠାରେ ପ୍ରତିକୂଳ ପାଗ ସତ୍ତ୍ୱେ ସେରୁବନ୍ଧ ପର୍ବତ ସୁରକ୍ଷା ସମିତି ସଦସ୍ୟ ମାନେ ଏକ ବିଶାଳ ଶୋଭଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ବିଧାୟକ ଶ୍ରୀ ପାଢ଼ୀ ଓ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପଟାଙ୍ଗି ତହସିଲଦାରଙ୍କ ଜରିଆରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

୬ ଗୋଟି ପଞ୍ଚାୟତର ଜନସାଧାରଣ ଭାବାବେଗ ସହ ଏହା ଖେଳ ହୋଇଥିବାରୁ ସେମାନେ ଏହାର ଦୃଢ ପ୍ରତିବାଦ କରିବା ସହ ଉଭୟ ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜନସାଧାରଣ ଉଭୟ ମନ୍ତ୍ରୀ ଓ ବିଧାୟକ କୁଶ ପୁତ୍ତଳିକା ଦାହ କରିବା ସହ ଏ ସମ୍ପର୍କରେ ଜିଲ୍ଲପାଳଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରଛନ୍ତି ଏବଂ ଉଭୟ ମନ୍ତ୍ରୀ ଓ ବିଧାୟକ ନିଜ ନିଜର ବକ୍ତବ୍ୟ ସମ୍ପର୍କରେ ପୁନଃଚିନ୍ତା କରି ଜନସାଧାରଣରେ କ୍ଷମା ପ୍ରାର୍ଥନା ନ କରିବା ପର୍ଯ୍ୟନ୍ତ ପଟାଙ୍ଗି ଅଞ୍ଚଳବାସୀ ମନ୍ତ୍ରୀ ଓ ବିଧାୟକଙ୍କୁ ସାମାଜିକ ବାସନ୍ଦ କରିବୁ ବୋଲି ରାଜ୍ୟପାଳଙ୍କୁ ଦିଆଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *