ପଞ୍ଚାୟତ ପିଅନଙ୍କ ଘରୁ ବାହାରିଲା ୨୦ ବସ୍ତା ପିଡିଏସ ଚାଉଳ : ଥାନାରେ ପିଅନ ଅଟକ

ରାୟଗଡାଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) କରୋନା ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାତୀୟ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଅଗ୍ରୀମ ୩ମାସର ପିଡିଏସ ସାମଗ୍ରୀ ବଂଟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଠାରେ ହିତାଧିକାରୀମାନଙ୍କ ସକାଶେ ଆସିଥିବା ଚାଉଳକୁ ବାଟମାରଣା କରିବା ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଓ ପଂଚାୟତ କାର୍ଯ୍ୟାଳୟର ଜଣେ ପିଅନ ଚକ୍ରାନ୍ତ କରୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପରେ ଗ୍ରାମବାସୀଙ୍କ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରି ଚାଉଳ ବସ୍ତାକୁ ଜବତ କରିବା ସହ ପିଅନକୁ ଥାନାରେ ଅଟକ ରଖିବା ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା କୋଲନରା ବ୍ଳକ ଦୁନ୍ଦିଲି ଗ୍ରାମ ପଂଚାୟତରେ । ଏ ନେଇ ମିଳିଥିବା ସୂଚନା ପ୍ରକାରେ ଚାନ୍ଦିଲି ଥାନା ଅଧୀନ କୋଲନରା ବ୍ଳକ ଅର୍ନ୍ତଗତ ଦୁନ୍ଦୁଲି ଗ୍ରାମ ପଂଚାୟତର ପିଇଓ ଏମ.କେ.ସାହୁ ରାତ୍ର ଆଠଟା ସମୟରେ ପିତେଶୁ ଗ୍ରାମ ଠାରେ ପିଡିଏସ ଚାଉଳ ବଂଟନ କରି ଖାଲି ବସ୍ତାଗୁଡିକ ଧରି ଦୁନ୍ଦୁଲି ପଂଚାୟତ କାର୍ଯ୍ୟାଳୟକୁ ଫେରିଥିଲେ । ସେଠାରେ ରାତ୍ର ୧୧ଟା ସମୟରେ ଖାଲି ବସ୍ତାଗୁଡିକରେ ପୂର୍ବରୁ ଥିବା ସରକାରୀ ଚାଉଳ ବସ୍ତାରୁ ନେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀମାନଙ୍କ ଆଗରେ ଧରାପଡିଥିବା ବେଳେ ସେ କେବଳ ଖାଲି ବସ୍ତାଗୁଡିକ ପଂଚାୟତ କାର୍ଯ୍ୟାଳୟରେ ରଖିବାକୁ ଆସିବାରେ ବିଳମ୍ବ ହେଲା ବୋଲି କହିଥିଲେ । ତେବେ ପିଇଓଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ଶୁକ୍ରବାର ସକାଳେ ଗ୍ରାମବାସୀମାନେ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକଜୁଟ ହୋଇ ଚାନ୍ଦିଲି ଥାନାକୁ ଖବର ଦେଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ଚାନ୍ଦିଲି ଥାନାର ଏସ.ଆଇ.ଗିରିଶ ମହାରଣା ଓ ଭାସ୍କର ମାଣିଆଙ୍କ ନେତୃତ୍ୱରେ ପୋଲିସ ଟିମ ପଂହଚିଥିଲା । ପରେ ବ୍ଳକ ପ୍ରଶାସନର ଏବିଡିଓ କେ.ଶିବ ଗୋପାଳ ରାଓ ମଧ୍ୟ ପଂହଚିଥିଲେ । ପୋଲିସ ଓ ଏବିଡିଓ ଘଟଣା ସଂପର୍କରେ ଅବଗତ ହୋଇ ପଂଚାୟତ କାର୍ଯ୍ୟାଳୟ ବୁଲି ଦେଖିବା ବେଳେ ଆଶ୍ଚର୍ଯ୍ୟ ହୋଇଥିଲେ । ପଂଚାୟତ ଗୋଦାମ ଗୃହର ଝରକା ଭଙ୍ଗା ଯାଇ ସେଠାରୁ କବାଟ ଦ୍ୱାର କରାଯାଇ ଉକ୍ତ ପଂଚାୟତ କାର୍ଯ୍ୟାଳୟର ପିଅନ ରମେଶ ଜେନାଙ୍କ ଘରକୁ ଯିବା ଆସିବା ରାସ୍ତା କରାଯାଇଛି । ଏହି ବାଟ ଦେଇ ହିତାଧିକାରୀଙ୍କ ପିଡିଏ ସାମଗ୍ରୀ ପିଇଓ ଓ ପିଅନ ଦୁହେଁ ମିଶି ବାଟମାରଣା କରୁଥିବେ ବୋଲି ଗ୍ରାମବାସୀମାନଙ୍କ ମଧ୍ୟରେ ଆଲୋଚନା ଶୁଣିବାକୁ ମିଳିଥିଲା। ଗୋଦାମ ଗୃହରୁ ପିଅନଙ୍କ ଘରେ ଯାଇ ପୋଲିସ ଖାନ ତଲାସି
କରିବା ବେଳେ ଘର ଭିତରେ ୧୧ଟି ଓ ଘର ବାରିପଟ ଖଳାରେ ପଡିଥିବା ୯ବସ୍ତା ସମୁଦାୟ ୨୦ଟି ଚାଉଳ ବସ୍ତା ମିଳିଥିଲା ଏବଂ ଏଥିସହ ୪୮ଟି ଖାଲି ବସ୍ତା ମଧ୍ୟ ଘଟଣାସ୍ଥଳରୁ ମିଳିବାରୁ ପୋଲିସ ସବୁକୁ ଜବତ କରିଥିଲା । ସେହିପରି ୬ଜଣ ହିତାଧିକାରୀଙ୍କ ରାସନ କାର୍ଡ ମଧ୍ୟ ମିଳିଥିବା ବେଳେ ସେଗୁଡିକକୁ ମଧ୍ୟ ପୋଲିସ ଜବତ କରିଛି । ଘଟଣା ସଂପର୍କରେ ସ୍ଥାନୀୟ ତହସିଲଦାର ମାନସୀ ନାୟକ ପଂହଚି ଜବତ ୨୦ଟି ଚାଉଳ ବସ୍ତାକୁ ସ୍ଥାନୀୟ ସିଆରସିସି ଦେବେନ୍ଦ୍ର ଦୋରାଙ୍କ ଦାୟିତ୍ୱରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀମାନେ ଲିଖିତ ଅଭିଯୋଗ ପରେ ପୋଲିସ ପଂଚାୟତର ପିଅନ ରମେଶ ଜେନାକୁ ଥାନାରେ ଅଟକ ରଖିଥିବା ବେଳେ ପିଇଓ ଶ୍ରୀ ସାହୁଙ୍କୁ ପଚାରାଉଚୁରା କରିଥିବା ଜଣାପଡିଛି । ତେବେ ପୋଲିସ ଓ ବ୍ଳକ ପ୍ରଶାସନ ନିକଟରୁ ପଂଚାୟତବାସୀ ଏହି ଘଟଣାର ସଠିକ୍ ତଦନ୍ତ କରାଯିବ ବୋଲି ଆଶା ରଖିଛନ୍ତି । ଅପର ପକ୍ଷେ ଜଣେ ପିଅନଙ୍କ ଘରୁ ୨୦ବସ୍ତା ପିଡିଏସ ଚାଉଳ ଜବତ ସଂପର୍କରେ ରାୟଗଡା ଜିଲ୍ଳା ଭାରପ୍ରାପ୍ତ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ବର୍ତମାନ ଅନଲାଇନ ବନ୍ଦ ଥିବାରୁ ହିତାଧିକାରୀମାନଙ୍କୁ ଅଫ ଲାଇନରେ ବଂଟନ ପାଇଁ କୁହାଯାଇଥିଲା ତେବେ ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ।
