11/08/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପଞ୍ଚଭୂତରେ ବିଲୀନ ପାରଳା ମହାରାଜ

ଗଜପତି: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବ। ପାରଳାଖେମୁଣ୍ଡିରେ ମହାରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମହାରାଜଙ୍କ ମର ଶରୀରରେ ମୁଖାଗ୍ନି ଦେଇଛନ୍ତି ତାଙ୍କ ପୁଅ ପୁରୋହିତ ରାମଚନ୍ଦ୍ର ପଣ୍ଡା। ଶେଷକୃତ୍ୟ ସମୟରେ ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ସମ୍ନାନ ସହ ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଅନ୍ତିମ ସଂସ୍କାର ହୋଇଛି। ପାରଳା ରାଜ ବଂଶର ପରମ୍ପରା ଅନୁସାରେ ଶେଷକୃତ୍ୟ ସଂପନ୍ନ ହେବା ପୂର୍ବରୁ ରାଜ୍ୟଭାର ସମ୍ଭାଳିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି ।
ଗୋପୀନାଥ ଗଜପତି ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ବହ୍ମପୁର ଲୋକସଭା ଆସନରୁ ୧୯୮୯ ଏବଂ ୧୯୯୧ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟରେ ସାଂସଦ ଭାବେ ପ୍ରତିଦ୍ବନ୍ଦିତା କରି ନିର୍ବାଚିତ ହୋଇଥିଲେ। ଏହାପରେ ୧୯୯୮ ମସିହାରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ। ସେ ବିଜେପି ଟିକଟରେ ବ୍ରହ୍ମପୁର ଲୋକସଭା ଆସନରୁ ଲଢିଥିଲେ ମଧ୍ୟ ପରାସ୍ତ ହୋଇଥିଲେ। ୨୦୦୯ ମସିହାରେ ସେ ବିଜେପି ଛାଡି ବିଜେଡିରେ ସାମିଲ ହୋଇ ବିଭିନ୍ନ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୯ରେ ତାଙ୍କ ଝିଅ କଲ୍ୟାଣୀ ଗଜପତି ବିଜେଡିରୁ ପାରଳାଖେମୁଣ୍ଡି ଆସନ ପାଇଁ ବିଧାୟିକା ଭାବେ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ ପରାସ୍ତ ହୋଇଥିଲେ ।

ଶୁକ୍ରବାର ଅପରାହ୍ନରେ ପାରଳାଖେମୁଣ୍ଡିରେ ପହଞ୍ଚିଥିଲା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ମର ଶରୀର। ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ନାରାୟଣ ଦେବଙ୍କ ମରଶରୀରକୁ ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଅଣାଯାଇଥିଲା। ମହାରାଜାଙ୍କ ମରଶରୀର ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶୁକ୍ରବାର ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ପାରଳାଖେମୁଣ୍ଡିର ମହାରାଜଙ୍କ ପରଲୋକ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମହାରାଜଙ୍କ ଶେଷକୃତ୍ୟରେ ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଯୋଗ ଦେଇ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *