ନୀଳାଚଳ ଆଦିବାସୀ ସେବାଶ୍ରମ ପରିସରରେ ଜାତୀୟ ଶିକ୍ଷା ଦିବସ ପାଳିତ

ମାଲକାନଗିରି ୧୨/୧୧(ସଖପ୍ର): ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୀଳାଚଳ ଆଦିବାସୀ ସେବାଶ୍ରମ ପରିସରରେ ୧୬ ତମ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବଦୁଲ କଲାମ ଆଜାଦ୍ ଙ୍କ୧୩୫ ତମ ଜନ୍ମତିଥି ପାଳନ ଅବସରରେ ମୌଲାନଙ୍କ ଜାତି ପ୍ରତି ଅବଦାନକୁ ସ୍ମରଣ କରାଇଥିଲେ । ମୌଲାନାଙ୍କ ଦ୍ଵାରା ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଓ ଭାରତୀୟ ବୈଷୟିକ ଶିକ୍ଷାଅନୁଷ୍ଠାନଗୁଡ଼ିକ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବିଷୟରେ ଆଲୋଚନା କରିଥିଲେ।ମାଲକାନଗିରି ସ୍ଥିତ ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଞ୍ଜିନିୟର ଜ୍ଞାନରଞ୍ଜନ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବର୍ତ୍ତମାନ ପରିପ୍ରେକ୍ଷୀରେ କୁଶଳୀ କାରିଗରର ଚାହିଦା ପୂରଣ ନିମନ୍ତେ ଛାତ୍ରଛାତ୍ରୀ ମାନେ ଲକ୍ଷ୍ୟ ରଖିବା ସହ ସରକାରୀ ସୁବିଧା ସୁଯୋଗର ସଦୁପଯୋଗ କରିବାପାଇଁ ଅନ୍ତେବାସୀମାନଙ୍କୁ ପରାମର୍ଶ ଦେଇଥିଲେ।ବିଭାଗୀୟ ଅଧିକାରୀ ମାନସ ରଞ୍ଜନ ରାଉତ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଚଳିତ ଶିକ୍ଷା ବର୍ଷର ପ୍ରସଙ୍ଗ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଅ ଭିନବ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ଆଶ୍ରମର ୩୫ ଜଣ ଅନ୍ତେବାସୀ କାର୍ଯ୍ୟକ୍ରମରେ ସାମିଲ ହୋଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆଶ୍ରମର ମୁଖ୍ୟ ପରିଚାଳିକା ଯମୁନା କରସ୍ତା ସଭା ପରିଚଳନା କରିଥିବା ବେଳେ ସହ ପରିଚାଳିକା ରାକ୍ଷୀ ହରିଜନ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅନ୍ତେବାସୀ ଓ ସ୍ୱେଚ୍ଚାସେବୀମାନଙ୍କ ସହଯୋଗରେ ଏକ ଗଣଦୌଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଭଳି ଏକ ଛାତ୍ର ମଙ୍ଗଳ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଆଶ୍ରମ ଅନ୍ତେବାସୀଙ୍କ ମଧ୍ୟରେ ଏକ ସଚେତନଭାବ ଓ ଜାଗରଣ ସୃଷ୍ଟି କରାଯାଇ ଥିବାରୁ ବୁଦ୍ଧିଜୀବି ମହଲରେ ଆୟୋଜକମାନଙ୍କୁ ପ୍ରଶଂସା କରାଯାଇଥିବା ଦେଖାଯାଇଥିଲା।