ନିୟମଗିରି ପାହାଡ଼ ଅଂଚଳ ର ପାର୍ଷଲି ଗ୍ରାମର ଏକ ମହିଳା ନିଆଁରେ ପୋଡି ଗୁରୁତର
ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ଅନ୍ତର୍ଗତ ଟାମକଶିଳା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା ସଂନ୍ଧ୍ଯା ସମୟରେ ନିଲାଈ କାଡ୍ରାକା (୨୨)ନିଜ ଘରେ ରୋଷେଈ କରୁଥିବା ସମୟରେ ଅଜାଣତରେ ଲୁଗାରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଯାଇଥିବା ଜାଣି ମହିଳା ଜଣକ ଚିତ୍କାର କରି ପ୍ରାଣଭୟରେ ଘର ବାହାରକୁ ଦୌଡ଼ିଆସି ଥିଲେ। ଚିତ୍କାର ଶୁଣି ପାଖ ପଡୋଶୀ ମହିଳାଙ୍କୁ ଦେହରେ ପାଣି ଢ଼ାଳି ମହିଳାଙ୍କୁ ମୂତ୍ୟୁ ମୁଖରୁ ଉଦ୍ଧାର କରିଥିଲେ। ନିଆଁ ଲାଗିବାରୁ ମହିଳାଙ୍କ ଶରୀର ପ୍ରାୟ ୨୦ଭାଗ ପୋଡିଯାଇଥିଲା। ଆହତ ମହିଳାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ନେବାପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ୨ଘଣ୍ଟା ଧରି ଅପେକ୍ଷାପରେ ଆମ୍ବୁଲାନ୍ସ ନ ଆସିବାରୁ ଏକ କମ୍ବଳକୁ ବାଊଁଶ ରେ ବାନ୍ଧି ଭାର କରି ୨ କି.ମି ପାହାଡିଆ, ଘାଟି ରାସ୍ତା ଅତିକ୍ରମ କରି ଜାମ୍ବପଦର ଛକ ନିକଟକୁ ଆଣିଥିଲେ। କୌଣସି ଏକ ସୁତ୍ରରୁ ଖବରପାଇ କଲ୍ୟାଣୀଯୁବଶକ୍ତି ସଂଗଠନର ସଭାପତି ଶଙ୍କର ଓ୍ବାଡକା ଏବଂ ସଦସ୍ଯ ମାନେ ଘଟଣା ସ୍ଥାନରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଅଟୋ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ପହଞ୍ଚାଇଥିଲେ। ସେଠାରେ ଅାହତ ମହିଳାଙ୍କୁ ଡାକ୍ତର ସୌମ୍ୟରଂଜନ ଜେନା ଚିକିତ୍ସା କରିଥିଲେ। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ଯ ଅବସ୍ଥା ଠିକ୍ ଥିବା ଜଣାପଡିଛି। କଲ୍ୟାଣୀ ଯୁବଶକ୍ତି ସଂଗଠନର କର୍ମକର୍ତ୍ତାଙ୍କ ମାନବିକତା ଓ ସହାନୁଭୂତିକୁ ମହିଳାଙ୍କ ପରିବାର ଓ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।