ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ
ରାୟଗଡା ୧୫/୮(ସଖପ୍ର): ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି। ଏହି ଦିବସର ଶୁଭଅବସରରେ ଜିଲ୍ଲାପାଳ ରାୟଗଡା ଶ୍ରୀ ପ୍ରମୋଦ କୁମାର ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଓ ଅନ୍ୟାନ୍ୟ ଅତିଥିମାନଙ୍କୁ ଉଦବୋଧନ ଦେଇ ସ୍ବାଧୀନତା ପାଇଁ ଆତ୍ମ ବିଳିଦାନ ଦେଇଥିବା ମହାନ ଓ ମହିୟସୀ ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହାପରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କିତ ପୋଷ୍ଟର ଓ ବ୍ୟାନର ଉନ୍ମୋଚନ କରିବା ସହ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ପ୍ରକାଶ ଥାଉକି ଗତ ୨୦୧୯ ମସିହାରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ଵାରା ଦେଶରେ ନିଶାଦ୍ରବ୍ୟ ଅପବ୍ୟବହାର ସମ୍ଵନ୍ଧରେ ସର୍ଭେ କରାଯାଇଥିଲା ଏବଂ ସମଗ୍ର ଦେଶରେ ୨୭୨ଟି ଜିଲ୍ଲାରେ ଏହି ନିଶାଦ୍ରବ୍ୟ ଅପବ୍ୟବହାର ମାତ୍ରା ବହୁଳ ବ୍ୟବହାର ହେଉଥିବା ସର୍ବେକ୍ଷଣରୁ ଜଣାଯାଇଥିଲା। ସେଥିମଧ୍ୟରୁ ରାୟଗଡା ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ଅଟେ। ତେଣୁ ଜିଲ୍ଲାରେ ନିଶାକାରବାର ରୋକିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲା ସାରା ପରିକ୍ରମା କରି ସଚେତନ କରିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଡ଼ଃ ନରେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଓ୍ବାହିଦା ବେଗମ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସ୍ଵଳ୍ପ ସଂଚୟ ଅଧିକାରୀ ଶ୍ରୀ ଧ୍ରୁବ ଚରଣ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଅଲନୁର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କଁହର ପରିଚାଳନା କରିଥିଲେ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ