ନିର୍ବାଚନ ଆସିଲେ ଆଶାୟୀ ପ୍ରାର୍ଥୀ ଜନତାଙ୍କ ସେବା କରିବାକୁ ବ୍ୟାକୁଳ ହୁଅନ୍ତି
ଆଗକୁ ପୌର ନିର୍ବାଚନ । ନିର୍ବାଚନରେ ଆଶାୟୀ ପ୍ରାର୍ଥୀମାନେ ଭାଗ ନେଉଛନ୍ତି ଓ ନିର୍ବାଚନରେ ଜିତିଲେ ମନଦେଇ ଜନସାଧାରଣଙ୍କ ସେବା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଚଳିତ ବର୍ଷ ନିର୍ବାଚନରେ ଚେୟାରମ୍ୟାନ ଓ କାଉନସିଲର ପଦବୀ ପାଇଁ ୨୫ଗୋଟି ୱାର୍ଡଥିବା ପୌରପାଳିକାକୁ ଯଦି ଉଦାହରଣ ଭାବେ ନିଆଯାଏ ତାହେଲେ ପ୍ରାୟ ୧୨୦ ରୁ ୧୨୫ ଜଣ ସମାଜସେବୀ ପ୍ରାର୍ଥୀ ହେବାକୁ ଆଗେଇ ଆସୁଛନ୍ତି । ୧୨୦ ରୁ ୧୨୫ ଜଣ ସମାଜସେବୀ ଯଦି ଗୋଟିଏ ପୌରାଞ୍ଚଳବାସୀଙ୍କ ପାଇଁ ନିରବଛିନ୍ନ ଭାବରେ ସେବା ଯୋଗାଇ ଦିଅନ୍ତି ତାହେଲେ ପୌରପାଳିକାର କର୍ମଚାରୀ ଦୁର୍ନୀତି କରିବାକୁ ସୁଯୋଗ ପାଇ ନଥାନ୍ତି, କିନ୍ତୁ ଦେଖିବାକୁ ମିଳୁଛି ଓଲଟା ଅର୍ଥାତ୍ ନାମାଙ୍କନ ପତ୍ର ଦାଖଲ ଦିନରୁ ପୂର୍ବ ପାଞ୍ଚ ବର୍ଷର ସମାଜସେବା ବିଷୟରେ ଯଦି ତର୍ଜ୍ଜମା କରାଯାଏ ତାହେଲେ ଏମାନଙ୍କ ମଧ୍ୟରୁ ପାଞ୍ଚ ପ୍ରତିଶତ ସମାଜସେବୀ ନିଜର କର୍ତ୍ତବ୍ୟ ସୂଚାରୁ ରୁପେ କରିଥାନ୍ତି, ଏମାନେ ଅନବରତଭାବେ ଜନତାଙ୍କ ସେବା କରୁଥିବା ଦେଖାଯାଏ । ଏଠାରେ ଗୋଟିଏ କଥା କୁହାଯାଇପାରେ ଏହି ୧୨୦ ଜଣ ସମାଜସେବୀ ଯଦି ଅନବରତ ଭାବେ ଜନତାଙ୍କ ସେବା କରିବାକୁ ବ୍ରତୀ ହୁଅନ୍ତି କିମ୍ୱା ସମାଜସେବୀର ଧର୍ମ ପାଳନ କରନ୍ତି ତାହେଲେ ପରୋକ୍ଷରେ ପୌରପାଳିକାର ବିକାଶର ସ୍ୱଚ୍ଛତା ବଜାୟ ରହେ, କିନ୍ତୁ ବର୍ତ୍ତମାନ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପୌରପାଳିକାରେ ଦୁର୍ନୀତି ବଢିଚାଲିଛି । ତେଣୂ ଆଶାୟୀ ପ୍ରାର୍ଥୀମାନେ ଆପଣମାନେ ନିଶ୍ଚୟ ଜାଣିଥିବେ ଜଣେ ହିଁ ବିଜୟ ମୁକୁଟ ପିନ୍ଧିବ ଓ ଅନ୍ୟମାନେ ପରାଜୟର ମୁକୁଟ ପିନ୍ଧିବେ କିନ୍ତୁ ପରାଜୟ ମୁକୁଟ ପିନ୍ଧିିିଥିବା ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ପରଠାରୁ ନିର୍ବାଚନ ଫଳାଫଳ ଘୋଷଣା ହେଲା ପର୍ଯ୍ୟନ୍ତ ଯେପରି ଜନତାଙ୍କ ସେବାରେ ଚଳଚଞ୍ଚଳ ରହୁଥିଲେ ସେପରି ଭାବରେ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଜନତାଙ୍କ ସେବାରେ ଚଳଚଞ୍ଚଳ ରହିଲେ ବିଜୟ ମୁକୁଟ ପିନ୍ଧିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।