ନବରଙ୍ଗପୁର ଜିଲ୍ଲାରେ ମକା ପ୍ଲାଣ୍ଟକୁ ନେଇ ଗଣ୍ଡଗୋଳ, ପୋଲିସ ଅଧିକାରୀ ଆହତ

ନବରଙ୍ଗପୁର୧୨/୧୧(ସଖପ୍ର): ମକା ପ୍ଲାଣ୍ଟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନକୁ ନେଇ ପୁଣି ବିରୋଧ। ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି।। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ପୋଲିସର ଲାଠି ଚାର୍ଜ ଦେଖିବାକୁ ମିଳିଛି। ପୋଲିସର ଲାଠି ଚାର୍ଜ ଓ ଜନତାଙ୍କ ପଥର ମାଡ଼ରେ ପୋଲିସ ସହ- ଉପ- ନିରୀକ୍ଷକ ଅଶ୍ୱିନ କୁମାର ପଟନାୟକଙ୍କର ମୁଣ୍ଡ ଫାଟିଯାଇଛି। ସେ କୋଷାଗୁମୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ୧୦ରୁ ଅଧିକ ଜନସାଧାରଣ ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବାମୁନି ଗ୍ରାମରେ ସରକାରଙ୍କ ଦ୍ଵାରା ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗୋଟିଏ ଗୋଷ୍ଠୀ ନିର୍ମାଣକୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଏହା ସପକ୍ଷରେ ଥିବାରୁ ଘଟଣାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ କିଛି ଦିନ ପୂର୍ବରୁ ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କୁ ଦାବୀ ଜଣାଇବା ପାଇଁ ଆସିଥିବା ବେଳେ ମଧ୍ୟ ଆନ୍ଦୋଳନର ନେତୃତ୍ୱ ନେଉଥିବା କିଛି ବ୍ୟକ୍ତିଙ୍କୁ ପୋଲିସ ଦ୍ୱାରା ଅଟକ ରଖିବା ଘଟଣାକୁ ନେଇ ଗ୍ରାମବାସୀ ବିରୋଧ କରି ସେମାନଙ୍କୁ ଛାଡ଼ିବା ଦାବୀ ନେଇ ଗ୍ରାମବାସୀଙ୍କ ଦ୍ଵାରା ନବରଙ୍ଗପୁର ଜାତୀୟ ରାଜପଥକୁ କିଛି ସମୟ ଅବରୋଧ କରିଥିଲେ । ଆଲୋଚନା ପରେ ସେମାନଙ୍କୁ ପୋଲିସ ଛାଡି ଦେଇଥିଲେ । ଆଜି ପ୍ଲାଣ୍ଟ ପାଚେରୀ କାମ ଆରମ୍ଭ ହେଉଥିବା ସମୟରେ ପୁଣି ପ୍ରାୟ ୨୦୦ ରୁ ୩୦୦ ବିପକ୍ଷ ବାଦୀ ଆସି କାମକୁ ବିରୋଧ କରିଥିବା ବେଳେ ପୁଣି ସପକ୍ଷ ବାଦୀ ମାନେ ପହଁଚିବାରୁ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ବେଳେ ପରିସ୍ଥିତି ଅଣାୟତ ହୋଇଥିଲା ଏବଂ ପୋଲିସ ଲାଠିଚାର୍ଜ କରିଥିଲା । ପୋଲିସକୁ ମଧ୍ୟ ପାଲଟା ଆକ୍ରମଣର ଶୀକାର ହେବାକୁ ପଡିଥିଲା । ଯାହାଫଳରେ କିଛି ପୋଲିସ କର୍ମଚାରୀଙ୍କ ସହ କିଛି ଗ୍ରାମବାସୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ଆରକ୍ଷୀ ଅଧିକ୍ଷକ ନିତିନ କୁସଲ୍କର, ପାପଡାହାଣ୍ଡି ପୋଲିସ, କୋଷାଗୁମୁଡା ପୋଲିସଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କୁ ବୁଝା ସୁଝା କରି ପରିସ୍ଥିତିକୁ ଆୟତଥିଲେ।