ନବରଙ୍ଗପୁରରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

ନବରଙ୍ଗପୁର ୦୬/୧୧ (ସଖପ୍ର): ଦକ୍ଷିଣ ଓଡିଶା ରାଜନୀତିରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଶାସକ ବିଜେଡିକୁ ମିଳିଛି ବଳ । ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ। ନବରଙ୍ଗପୁରରେ ଆୟୋଜିତ ହୋଇଥିବା ଏକ ସ୍ବତନ୍ତ୍ର ଉତ୍ସବରେ ବିଦ୍ଧିବଧ ଭାବେ ବିଜେଡିର ମଙ୍ଗ ଧରିଛନ୍ତି ପ୍ରଦୀପ ଓ ତାଙ୍କ ସମର୍ଥକ । ଏକ ବିରାଟ ବାଇକ ରାଲିରେ ସହର ପରିକ୍ରମା ବେଳେ ଏଥିରେ ପ୍ରାୟ ୧୦ ହଜାର ଲୋକ ଉପସ୍ଥିତ ଥିଲେ। ଏଥିରେ ନବରଙ୍ଗପୁର ଲୋକସଭା କ୍ଷେତ୍ରର ଅଧିକାଂଶ କଂଗ୍ରେସ ବିଧାୟକ ପ୍ରାର୍ଥୀ, ବ୍ଲକ ସଭାପତି, ବ୍ଲକ ଅଧ୍ୟକ୍ଷ, ନେତା କର୍ମୀ ଥିଲେ। ପରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସମସ୍ତଙ୍କୁ ବିଜେଡିରେ ସ୍ବାଗତ କରିଛନ୍ତି ଶାସକ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀ ମାନେ। ଏହି ମେଗା ମିଶ୍ରଣ ପର୍ବରେ ବିଜେଡିର ଏକାଧିକ ମନ୍ତ୍ରୀ, ସାଂସଦ, ବିଧାୟକ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ଏହି ଅବସରରେ ପ୍ରଦୀପ କହିଛନ୍ତି ଦକ୍ଷିଣ ଓଡିଶା ସମେତ ନବରଙ୍ଗପୁର ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ପାଇଁ ସେ ଶାସକ ଦଳ ସହ ହାତରେ ହାତ ମିଶାଇ କାମ କରିବେ । ଅତୀତରେ ମଧ୍ୟ ସେ ଓ ତାଙ୍କ ସମର୍ଥକ ଲୋକଙ୍କ ସେବା ପାଇଁ କଂଗ୍ରେସ ଦଳରେ ରହି ଅନେକ ଲଢେଇ କରିଛନ୍ତି । ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି କିନ୍ତୁ ସମୟର ଆହ୍ବାନ ସହ ଲୋକଙ୍କ ସେବା ପାଇଁ ସରକାରଙ୍କ ସହ ଯିବାକୁ ଚିନ୍ତା କରିବା ସହ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ସେହିପରି କୌଣସି ଆଶା, ଉଦ୍ଦେଶ୍ୟ ଏବଂ ପଦ ପଦବୀ କିମ୍ବା ସର୍ତ୍ତରେ ସେ ବିଜେଡିରେ ସାମିଲ ହେଉ ନଥିବା ବେଳେ କେବଳ ଲୋକଙ୍କ ସେବା ଓ ଅଞ୍ଚଳର ବିକାଶ ପାଇଁ ସାମିଲ ହୋଇଥିବା କହିଛନ୍ତି ପ୍ରଦୀପ । ବିଜେଡି ତାଙ୍କୁ ଯାହା ଦାୟିତ୍ବ ଦେବ ସେ ସଠିକ ଭାବେ ତୁଳାଇବେ ଏବଂ ଅଞ୍ଚଳର ଉନ୍ନତି ପାଇଁ କାମ କରିଚାଲିଥିବେ ବୋଲି କହିଛନ୍ତି। ଅନ୍ୟପଟେ ଗତ ୨୨ ଅକ୍ଟୋବରରେ ପ୍ରଦୀପ କଂଗ୍ରେସ ଛାଡିବା ପରେ ପରେ କଂଗ୍ରେସ ଦଳ ନବରଙ୍ଗପୁର ଓ କୋରାପୁଟରେ ଅଧିକ ସକ୍ରିୟ ହୋଇପଡିଥିବାରୁ, ପ୍ରଦୀପ ଏହାକୁ ସ୍ବାଗତ କରିଛନ୍ତି ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁ ଦଳର ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିବାର ସମାନ ଅଧିକାର ରହିଥିବା କହିଛନ୍ତି ପ୍ରଦୀପ। ସେହିପରି ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା ସହ ସମ୍ପୂର୍ଣ୍ଣ ଦକ୍ଷିଣ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ବଦ୍ଧ ଏବଂ ସେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସବୁବେଳେ ନିଜ ହୃଦୟରେ ରଖିଛନ୍ତି। ଆଉ ଯାହାକୁ ନିଜେ ଅନୁଭବ କରିଛନ୍ତି ପ୍ରଦୀପ ମାଝୀ। ତେଣୁ ପ୍ରଦୀପ ମାଝୀଙ୍କ ଏହି ନିଷ୍ପତ୍ତିକୁ ବିଜେଡି ସ୍ୱାଗତ୍ କରିବା ସହ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡି ଅଧିକ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ। ଏଥି ସହ ପ୍ରଣବ ଏହି ମଞ୍ଚରୁ ବିଜେପିକୁ ସିଧା ସଳଖ ଟାର୍ଗେଟ କରିବା ସହ ମମିତା ମେହେର୍ ହତ୍ୟାକାଣ୍ଡକୁ ନେଇ ବିଜେପି ନିଜର ରାଜନୈତିକ ରୁଟି ସେକୁଥିବା ବେଳେ ବିଜେପି ଶାସିତ ରାଜ୍ୟରେ ହତ୍ୟା ଏବଂ ଦୁଷ୍କର୍ମକୁ ନେଇ ବିଜେପି କାହିଁକି ଚୁପ୍ ରହିଛି ବୋଲି ପ୍ରଶ୍ନ କରିଛନ୍ତି। ଏଥି ସହ ଚାଷୀଙ୍କ ଦାବିକୁ ନେଇ କେନ୍ଦ୍ର ସରକାର ଦୀର୍ଘ ଦିନ ହେବ ଚୁପ୍ ବସିଥିବା ବେଳେ ଓଡିଶାରେ ମମିତାଙ୍କ ହତ୍ୟା ଘଟଣାକୁ ନେଇ ଘୃଣ୍ୟ ରାଜନୀତି କରୁଛି ବୋଲି କହିଛନ୍ତି ପ୍ରଣବ। ଏହି ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ପଦ୍ମିନୀ ଦିଆନ, ମନ୍ତ୍ରୀ ତୁଷାର କାନ୍ତି ବେହେରା, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ସହ ସମସ୍ତ ବିଜେଡି ବିଧାୟକ ଏବଂ କର୍ମୀ ଉପସ୍ଥିତ ଥିଲେ।
ନବରଙ୍ଗପୁରରୁ ଘେନୁ ପନାକାଙ୍କ ସହ ଗଜେନ୍ଦ୍ର ସାହୁଙ୍କ ରିପୋର୍ଟ