ଧୀରେ ଧୀରେ ଦୁର୍ବଳ ହେଲାଣି ବାତ୍ୟା ‘ଜୱାଦ୍’
ଭୁବନେଶ୍ୱର (ସଖପ୍ର): ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ‘ଜୱାଦ୍’ ! ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହୋଇପାରେ। ଘଣ୍ଟା ପ୍ରତି ୪ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା। ଆଗାମୀ ୧୨ ଘଣ୍ଟା ଯାଏ ଏହା ଉତ୍ତର ଦିଗରେ ଗତି କରିବ। ପରେ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ ‘ଜୱାଦ୍’। ଗତି ପରିବର୍ତ୍ତନ କରି ଗଭୀର ଅବପାତରେ ପରିଣତ ହୋଇପାରେ। ବାତ୍ୟା ପ୍ରଭାବରେ କାଲିଠାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ସକାଳ ୭ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଗୋପାଳପୁରରେ ୪୩.୩ ମି.ମି., ପୁରୀରେ ୪୦ ମି.ମି. ଓ ଭୁବନେଶ୍ୱରରେ ୧୦.୪ ମି.ମି. ବର୍ଷା ରେକର୍ଡ ହୋଇଛି। ସେପଟେ ବାତ୍ୟା ପ୍ରଭାବରେ ପୁରୀ, ପାରାଦୀପ ଓ ଗୋପାଳପୁରରେ ପବନର ବେଗ ବୃଦ୍ଧି ପାଇଛି। ପୁରୀରେ ଏବେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବହୁଛି। ସେହିପରି ପାରାଦୀପରେ ୧୦ କି.ମି. ଓ ଗୋପାଳପୁରରେ ୧୫ କି.ମି. ବେଗରେ ପବନ ବହୁଛି। ବାତ୍ୟାର ଗତିପଥ ପରବର୍ତ୍ତନ ହେବା ପରେ ପବନର ବେଗ ବଢ଼ିବା ସହ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇପାରେ। ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ଏହି ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପବନର ବେଗ ଗଞ୍ଜାମ, ପୁରୀ ଓ ଜଗତସିଂହପୁର ସର୍ବାଧିକ ୭୫ରୁ ୮୫ କିଲୋମିଟର ହେବ ସ୍ଥଳ ବିଶେଷରେ ପବନର ବେଗ ୯୫ କିଲୋମିଟର ଯାଏ ବୃଦ୍ଧି ପାଇପାରେ। କଟକ ଓ ଭୁବନେଶ୍ୱରରେ ଝିପି ଝିପି ବର୍ଷା ଲାଗି ରହିଥିବାବେଳେ ଆଜି ପ୍ରବଳ ବର୍ଷା ହୋଇପାରେ।