ଧାନ ମଣ୍ଡିରେ ଚାଷୀ ହନ୍ତସନ୍ତ: ଜିଲ୍ଲାପାଳ ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କଲା କଂଗ୍ରେସ
ମାଲକାନଗିରି: ବର୍ତମାନ ମାଲକାନଗିରି ଜିଲ୍ଲାରେ ଧାନମଣ୍ଡି ଚାଲିଥିବା ବେଳେ ଚାଷୀମାନଙ୍କ ବହୁ ସମସ୍ୟା ଦେଖାଦେଇଛି । ଗୋଟିଏ ପଟେ ଧାନମଣ୍ଡିରେ ଟୋକନ ନ ପାଇ ଚାଷୀମାନେ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ଭାଗଚାଷୀ ନାମରେ ଚାଷୀମାନଙ୍କ ଅଜାଣତରେ ତାଙ୍କର ଧାନ ବିକ୍ରି ହୋଇଯାଉଛି । ଜଣେ ଆଦିବାସୀ ଚାଷୀଙ୍କ ପଟ୍ଟାକୁ ଆଧାର କରି ଭାଗଚାଷୀ ଭାବେ ଅନ୍ୟ ଜଣେ ବ୍ୟକ୍ତି ଲ୍ୟାମ୍ପସ୍ ଅଧିକାରୀଙ୍କ ଠାରୁ ଟୋକନ ସଂଗ୍ରହ କରି ତାଙ୍କର ଧାନ ବିକ୍ରି କରୁଛନ୍ତି ।
ଫଳରେ ପ୍ରକୃତ ଚାଷୀ ନିଜର ଧାନ ବିକ୍ରି ପାଇଁ ଟୋକନ ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଯିବା ସମୟରେ ଚାଷୀଙ୍କ ଧାନ ବିକ୍ରି ହୋଇଯାଇଛି ବୋଲି ଅଧିକାରୀ ପ୍ରକାଶ କରୁଛନ୍ତି । ଫଳରେ ଆଦିବାସୀ ଚାଷୀମାନେ ନିଜରଧାନ ବିକ୍ରି କରି ପାରୁନାହାନ୍ତି । ଏ ସମ୍ବନ୍ଧରେ ମାଲକାନଗିରି ଥାନାରେ କିଛି ଭାଗଚାଷୀଙ୍କ ନାମରେ କେସ୍ ମଧ୍ୟ ରୁଜୁ ହୋଇଛି । ଜିଲ୍ଲା ପ୍ରଶାସନ ଏହି ଭାଗଚାଷୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ଅଧିକାଂଶ ଚାଷୀଙ୍କ ଲ୍ୟାମ୍ପରେ ନାମ ପଂଜିକରଣ ହୋଇ ନଥିବା କଥା ଜିଲ୍ଲା ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନ ନେବା ନିନ୍ଦନୀୟ ବିଷୟ । ଯଦି ଜିଲ୍ଲା ପ୍ରଶାସନ ଆଗାମୀ ୧୦ ଦିନ ମଧ୍ୟରେ ସମ୍ପୃକ୍ତ ଭାଗଚାଷୀ ଏବଂ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ଚାଷୀ ଆନ୍ଦୋଳନକୁ ତୀବ୍ରତର କରଯିବା ସହ ଜିଲ୍ଲା ପ୍ରଶାସନକୁ ଅଚଳ କରି ଦିଆଯିବ ।
ଗତ ସାଧାରଣ ନିର୍ବାଚନରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଗାଡ଼ି ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଏକ କୋଟିରୁ ଉର୍ଧ୍ୱ ଟଙ୍କା ବର୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ପୈଠ କରାଯାଇନାହିଁ । ଯେଉଁ ମାଲିକ ସ୍ୱର ଉତୋଳନ କରୁଛନ୍ତି ଜିଲ୍ଲା ପ୍ରଶାସନ ସେମାନଙ୍କୁ ଧମକ ଚମକ ଦେଉଛନ୍ତି । ଏହା ଏକ ନିନ୍ଦନୀୟ ଘଟଣା । ଯଦି ଜିଲ୍ଲା ପ୍ରଶାସନ ନିର୍ବାଚନରେ ବକେୟା ଥିବା ଟଙ୍କା ୧୦ ଦିନ ମଧ୍ୟରେ ନ ଦିଅନ୍ତି ତେବେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୂର୍ବତନ ନବରଙ୍ଗପୁର ସାଂସଦ ଶ୍ରୀ ପ୍ରଦୀପ ମାଝୀ |ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପଟନାୟକ, ପେନଡ୍ରା ପଣ୍ଡା ଓ ଅନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ