02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦେଶ ସ୍ବାଧୀନତାର ୭୫ବର୍ଷ ପରେ ବି ୬ଟି ଗାଁ ମୌଳିକ ସୁବିଧାରୁ ବଞ୍ଚିତ

ଜୟପୁର (ସଖପ୍ର) : ବର୍ଷାଋତୁ ଆସିଯାଇଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକର କଙ୍ଗାପଂଚାୟତର ୫ଟି ଗାଁ ଖଟଳାଗୁଡା, ଗୁଂଜିଗୁଡା, ଖୁଟୁଗୁଡା, ରାଉଳିଗୁଡା, ପାକୁଳୁଗୁଡା ଓ କୋଟପାଡ଼ ବ୍ଲକର ଉମୁରାପଣ୍ଡି ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିକ ନଥିବା ଏହି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏପରିକି ଏହି ୬ଟି ଗାଁର ରାସ୍ତାକୁ ଜୟପୁର ଓ କୋଟପାଡ଼ ବ୍ଲକକୁ ଯିବା ପାଇଁ ପିଚୁରାସ୍ତା ବି ସଂଯୋଗ ରହିଛି। କିନ୍ତୁ ଏହି ୬ଟି ଗାଁକୁ ଭଲ ରାସ୍ତା ନାହିଁ। ବାରମ୍ବାର ବ୍ଲକ ପ୍ରଶାସନ, ବିଧାୟକ, ସବୁ ରାଜନୈତିକ ଦଳର ପ୍ରମୁଖ ନେତା, ଜିଲ୍ଲାପ୍ରଶାସନକୁ ଅବଗତ କରିବା ପରେ ବି ଏହି ଗ୍ରାମବାସୀମାନଙ୍କ ଦୁଃଖ ଦୂର ହୋଇପାରିନି। ଏହି ୬ଟି ଗାଁରେ ୨ହଜାର ଲୋକେ ବସବାସ କରୁଛନ୍ତି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏହି ରାସ୍ତା ସଂପୁର୍ଣ୍ଣ ନିର୍ମାଣ ହୋଇ ପାରୁନି ତାହାକୁ ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଥରେ ଆସି ଅଭିଯୋଗ କଲେ ରାସ୍ତାରେ କିଛି ମୁରୁମ୍ କିମ୍ବା ମାଟି ବିଛାଇ ଦେବା କିମ୍ବା ଅଳ୍ପ କିଛି ମେଟାଲ ପ୍ରସାଦ ଭଳି ପକାଇ ଦେଇ ପ୍ରଶାସନ ଚୁପ ବସୁଛି ବୋଲି ଗ୍ରାମବାସୀ କହିଛନ୍ତି। ଦିନ ମଧ୍ୟରେ ବର୍ଷା ମାସ ଆସିଲେ ଗତ ବର୍ଷ ପରି ଏବର୍ଷ ମଧ୍ୟ ଏହି ୬ଟି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି କହିଛନ୍ତି। ଏହି ୬ଟି ଗାଁ କଣ ଓଡ଼ିଶା କିମ୍ବା କୋରାପୁଟ ଜିଲ୍ଲା ବାହାରେ ରହିଛି କି, କାହିଁକି ପ୍ରଶାସନ ଏଦିଗରେ ଦୃଷ୍ଟି ଦେଉନି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ରାଜନୈତିକ ଓ ପ୍ରଶାସନିକ ଇଛା ଶକ୍ତି ଅଭାବରୁ ଏହି ୬ଗାଁର ଲୋକେ ଭଲ ରାସ୍ତା ଖଣ୍ଡିକରେ ଚଳାବୁଲା କରିବାରୁ ବଂଚିତ ହେଉଛନ୍ତି। ବର୍ଷା ମାସରେ ଏହି ରାସ୍ତାରେ ଯିବା ଆସିବା କରିବା ବହୁତ ମୁସ୍କିଲ ହେଉଥିବା ଏମାନେ କହିଛନ୍ତି। ବର୍ଷା ମାସ ଆସିବା ମାତ୍ରକେ ଏହି ରାସ୍ତାରେ ଛୋଟ ବଡ ଦୁର୍ଘଟଣା ହେବା ଏବଂ ରାସ୍ତାରେ ଲୋକେ ଖସି ପଡ଼ି ଖଣ୍ଡିଆ ଖାବରା ହେବା ନିୟମିତ ଘଟଣାରେ ପରିଣତ ହୋଇଛି। ତୁରନ୍ତ ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ରାସ୍ତାର ପୁନଃ ରୁଦ୍ଧାର କରିବା ସହ ପ୍ରଶସ୍ତୀକରଣ କରିବାକୁ ଦାବି କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *