ଦେଶୀ ଡଙ୍ଗାରେ ଦୁର୍ଗମ ଗାଁକୁ ପରିଦର୍ଶନ ପାଇଁ ଗଲେ ମନ୍ତ୍ରୀ ପଦ୍ମିନୀ ଦିଆନ

କୋରାପୁଟଜିଲ୍ଲା(ସଖପ୍ର): କୋଟପାଡ଼ ବ୍ଲକ ଅନ୍ତର୍ଗତ ଛତର୍ଲା ପଞ୍ଚାୟତର ଦୁର୍ଗମ ଗାଁ ଗୁଡିକ ଆଜିବି ବିକାଶ ଠାରୁ ବହୁ ଦୂରରେ। ଗମନା ଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ଏଠାରେ ପହଞ୍ଚି ନାହିଁ। ପିଇବା ପାଣି ପାଇଁ ନଈ ପାଣି ଉପରେ ନିର୍ଭର କରନ୍ତି ଏହି ଅଞ୍ଚଳର ଲୋକେ। ବାକଟିଗୁଡା, ଡ଼ୁମାଯୋଡି, ନୂଆଗୁଡା, ସିରାଗୁଡା, ସୋରିଷପଦର ଏମିତି ଅନେକ ଗ୍ରାମ ଏବେବି ବିକାଶର ଅପହଁଞ୍ଚ ହୋଇ ରହିଛି। ଏଭଳି ଦୁର୍ଗମ ଅଞ୍ଚଳକୁ ଦେଶୀ ଡଙ୍ଗା ସାହାଯ୍ୟରେ ନଦୀ ପାର ହୋଇ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଗ୍ରସ୍ତ କରିଥିଲେ।

ନିଜ ଅଞ୍ଚଳର ମନ୍ତ୍ରୀ ଆସିଥିବାରୁ ଗ୍ରାମବାସୀଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏବଂ ଗ୍ରାମବାସୀ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଗାଁ ଗୁଡିକରେ ରାସ୍ତାଘାଟ ପାନୀୟ ଜଳ ବିଜୁଳି ଓ କୋଲାବ ନଦୀରେ ଏକ ପୋଲ କରବା ପାଇଁ ମନ୍ତ୍ରୀଙ୍କୁ ଗ୍ରାମବାସୀ ଅନୁରୋଧ କରିଥିଲେ। ଗ୍ରାମବାସୀଙ୍କୁ ଡଙ୍ଗା ଦ୍ୱାରା ନଦୀ ପାର ହୋଇ ଚାଉଳ, ଭତା, ସ୍ୱାସ୍ଥ୍ୟ ସୁବିଧା ପାଇଁ ଛତର୍ଲା ପଞ୍ଚାୟତ ଯିବାକୁ ପଡୁଛି, ବେଳେ ବେଳେ ଦୁର୍ଘଟଣାର ଶିକାର ମଧ୍ୟ ହେବାକୁ ପଡୁଛି ବୋଲି ଅବଗତ କରାଇବା ସହ ତୁରନ୍ତ ଏହି ଗ୍ରାମ ଗୁଡିକର ବିକାଶ ପାଇଁ ମନ୍ତ୍ରୀଙ୍କୁ ହସ୍ତକ୍ଷେପ ନେବା ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ।
ପ୍ରତିନିଧି ସୀମାଦ୍ରୀ ଶ୍ରୀନିବାସ