ଦୀର୍ଘ ୩୫ ବର୍ଷ ପରେ ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କୁ ମିଳିଲା ଜମି ପଟ୍ଟା
ତେନ୍ତୁଳିଖୁଣ୍ଟି/ ଇନ୍ଦ୍ରାବତୀ (ସଖପ୍ର): ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବାସହରା ହୋଇଥିଲେ ଅନେକ ପରିବାର । ଜମି ହରାଙ୍କୁ ଜମି ଯୋଗାଇଦେଇଥିଲେ ସରକାର କିନ୍ତୁ ଦେଇ ନଥିଲେ ପଟ୍ଟା । 1986 ମସିହାରୁ ଏହି ବାସହରା ପରିବାର ନିଜର ହକ ପାଇଁ ଲଢ଼େଇକରି ଆସୁଛନ୍ତି । ଦୀର୍ଘ ୩୫ ବର୍ଷର ପରେ ବିସ୍ଥାପିତଙ୍କୁ ତାଙ୍କ ହକ ପ୍ରଦାନ ପାଇଁ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କ ପ୍ରଚେଷ୍ଟାରେ ଆଜି 156 ଜଣ ବିସ୍ଥାପିତଙ୍କ ମଧ୍ୟରୁ 70 ଜଣ ବିସ୍ଥାପିତ ଙ୍କୁ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ତେନ୍ତୁଳିଖୁଣ୍ଟି ତହସିଲଦାର ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଛି। ଦୀର୍ଘ ଦିନର ବ୍ୟବଧାନ ତଥା 35 ରୁ ଉର୍ଦ୍ଧ୍ବ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପରିବର୍ତ୍ତନ ପରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କୋର୍ଟ ରେ ଶୁଣାଣି କରାଯାଇ ବିସ୍ଥାପିତ ଙ୍କୁ ପଟା ଯୋଗାଇଦେବାକୁ ନିଷ୍ପତି କରାଯାଇଛି। ତହସିଲଦାର ପ୍ରତିଟି ବିସ୍ଥାପିତ ପରିବାରଙ୍କ ଦ୍ୱାର ଦ୍ୱାରରେ ପହଂଚି ଅନୁଧ୍ୟାନ ପରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଆଜି 70 ଜଣ ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ବାକି ବିସ୍ଥାପିତଙ୍କୁ ତୁରନ୍ତ ଯୋଗାଇଦେବା ପାଇଁ କାର୍ଯ୍ୟ ଚାଲୁ ରହିଥିବା କହିଛନ୍ତି ଜିଲ୍ଲାପାଳ। ଆଜି ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ସହ ପୁନଃ ବସତି ଓ ଥଇଥାନ ଅଧିକାରୀ ବା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର କର , ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିଭୂଚରଣ ମିଶ୍ର ,ବ୍ଲକ ଅଧକ୍ଷା ଦେବକୀ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ବୁଡି ଅଂଚଳ ଗଣ ପରିଷଦର ସଭାପତି ସୁଧୀର କୁମାର ସୁନା ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେବା ସହ ଅନ୍ୟ ହିତାଧିକାରୀଙ୍କୁ ତୁରନ୍ତ ପଟ୍ଟା ଯୋଗାଇଦେବା ପାଇଁ ଦାବି କରିଛନ୍ତି ।
ତେନ୍ତୁଳିଖୁଣ୍ଟି ପ୍ରତିନିଧି ସଂଜୀବ ଖୁରା