ଦଶାହ କାର୍ଯ୍ୟରୁ ଫେରିବା ବେଳେ ଦୁର୍ଘଟଣା,ପିକଅପ ଓଲଟି ୯ମୃତ

ଜୟପୁର ୩୧/୦୧(ସଖପ୍ର): ଏକ ଦଶାହ କାର୍ଯ୍ୟରେ ଯୋଗଦେଇ ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇ ୯ ଜଣଙ୍କ ଜୀବନ ହାନି ଘଟିଥିବାର ଏକ ଦୁଃଖଦ ଖବର ଆସିଛି ଓଡ଼ିଶାର ସୀମାନ୍ତ ସିନ୍ଧିଗାଁ ଗ୍ରାମରୁ । ଏହି ଗ୍ରାମଟି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ ଥିଲେ ବି ରହିଛି ଛତିଶଗଡ଼ ନିକଟରେ । ସୂଚନା ପ୍ରକାରେ ଏହି ଗ୍ରାମରେ ଆଜି ଏକ ଦଶାହ କାର୍ଯ୍ୟ ରହିଥିଲା । ଏଥିରେ ଯୋଗ ଦେବାକୁ ଛତିଶଗଡ଼ ଜଗଦଲପୁର ନିକଟ ଏକ ଗ୍ରାମରୁ ୨୨ ଜଣ ସମ୍ପର୍କୀୟ ଖୋଲା ଡାଲାଯୁକ୍ତ ପିକଅପ ଯୋଗେ ଆସିଥିଲେ । ଏହି ପାରିବାରିକ କାର୍ଯ୍ୟସାରି ସେମାନେ ସନ୍ଧ୍ୟାରେ ଫେରିବା ବେଳେ ମୂର୍ତ୍ତାହାଣ୍ଡି ନିକଟରେ ଦୁର୍ଘଟଣା ଘଟିଥିଲା । ସୂଚନା ପ୍ରକାରେ ଗାଡିଟି ରେଲୱେ କ୍ରସିଂ ନିକଟରେ ରହିଥିବା ଏକ ଗାତରେ ଖସିଥିଲା । ଯଦ୍ୱାରା ପିକ ଅପ ଓଲଟିବାରୁ ଉପରେ ବସିଥିବା ଯାତ୍ରୀ ମାନେ ଗାଡି ତଳେ ରହିଥିଲେ । ରାତ୍ରର ଅନ୍ଧାର ଯୋଗୁଁ ଡ୍ରାଇଭର ଦୁର୍ଘଟଣା ଭିଆଇ ଥିବା କୁହାଯାଇଥିବା ବେଳେ କିଛି ପ୍ରତ୍ୟେକ୍ଷ ଦର୍ଶୀ ଡ୍ରାଇଭର ମଦ୍ୟପାନ ଦୁର୍ଘଟଣାର କାରଣ ଜଣାଇଛନ୍ତି । ଏଥିରେ ବର୍ତ୍ତମାନକୁ ୭ଜଣ ମୃତ୍ୟୁ ବରଣ କରିଥିବା କୋରାପୁଟ ଏସପି କହୁଥିଲେ ବି ଲୋକେ ଏହି ସଂଖ୍ୟା ଦୁଇଗୁଣ ଜଣାଉଛନ୍ତି । ଖବର ମିଳିବା ପରେ ବୋରିଗୁମା ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ବାହାରି ଥିବା ବେଳେ କୋଟପାଡ଼ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । କିନ୍ତୁ ସୀମାନ୍ତ ଗ୍ରାମ ହୋଇ ଥିବାରୁ ପ୍ରଶାସନ ସେଠାରେ ଉପସ୍ଥିତ ହେବା ବିଳମ୍ବ ହୋଇଛି । ସମସ୍ତ ମୃତକ ଛତିଶଗଡ ରାଜ୍ୟର ହୋଇଥିବା ବେଳେ ଆହତ ମାନଙ୍କୁ ମଧ୍ୟ ଜଗଡଲପୁର ନିଆଯାଉଥିବା କୁହାଯାଇଛି ।