ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜନ ଜାଗରଣ ପଦଯାତ୍ରା ଓ ସାଧାରଣ ସଭା

ରାୟଗଡା ୧୯/୧୨(ସଖପ୍ର):ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଦିନକୁ ଦିନ ଦୈନିକ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ପେଟ୍ରୋଲ, ଡିଜେଲ ଓ ବିଦ୍ୟୁତ ଦରର ଅତ୍ୟଧିକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟିର ସହଯୋଗରେ ବ୍ଲକ କଂଗ୍ରେସ କମିଟି ତରଫରୁ ଜନ ଜାଗରଣ ପଦଯାତ୍ରା ସହ ସାଧାରଣ ସଭା କୋଲନରା ବ୍ଲକ ମୁକୁନ୍ଦପୁର ଗ୍ରାମର ହାଟ ପଦା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉଲ୍ଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ମନ୍ତ୍ରୀ ଡମ୍ବୁରୁଧର ଉଲ୍ଲାକା, ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନୀଳମାଧବ ହିକକା ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ଦରଦାମ ବୃଦ୍ଧି ଲୋକଙ୍କୁ କଲବଲ କରୁଥିବା ପ୍ରସଂଗ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ରୋଷେଇ ଗ୍ୟାସ ଦର ଏବେ ହଜାରେ ଟଙ୍କା, ଖାଇବା ତେଲ ଦର ଲିଟର ପିଛା ୨୦୦ ଟଙ୍କା ଏବଂ ପେଟ୍ରୋଲ ଦର ୧୧୦ ଟଙ୍କା ଥିବା ବେଳେ ମଧ୍ୟବିତ୍ତ ପରିବାରର ବଜେଟ ବିଗିଡିବାରେ ଲାଗିଛି ଏବଂ ଗରିବ ନିଷ୍ପେସିତ ପରିବାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ସଂଘର୍ଷ କରୁଥିବା କହିବା ସହ ଆଗକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ଭିତରେ ଥିବା ଅସନ୍ତୋଷକୁ ପ୍ରଭାବିତ କରିଛି କଂଗ୍ରେସ। କଂଗ୍ରେସ ଅମଳରେ ଯେତିକି ସବୁ ଜନ କଲ୍ୟାଣ କାର୍ଯ୍ୟ ହୋଇଛି, ସେସବୁକୁ ଖାଲି ନାମ ପରିବର୍ତ୍ତନ କରି ଉଭୟ ବିଜେଡି ଓ ବିଜେପି ଲୋକଙ୍କୁ ବିଭ୍ରାଟ କରୁଛି ଏବଂ ଦୁର୍ନୀତି, ନାରୀ ନିର୍ଯ୍ୟାତନା ଓ ମର୍ଡର ମାମଲାରେ ମଧ୍ୟ ବିଜେଡିର କିଛି ମନ୍ତ୍ରୀ ଛନ୍ଦି ହୋଇ ରହିଥିବା କହିବା ସହ ବିଜେଡି ସରକାରଙ୍କ ୨୨ ବର୍ଷର ଶାସନ କାଳରେ ଆଜି ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା କହିଛନ୍ତି ମୁଖ୍ୟ ଅତିଥି ସପ୍ତଗିରୀ ଉଲ୍ଲାକା। ଏହି କାର୍ଯ୍ୟକ୍ରମକୁ କୋଲନରା ବ୍ଲକ କଂଗ୍ରେସ କମିଟିର ସଭାପତି ଡକ୍ଟର ଆଇ ଗୋବର୍ଦ୍ଧନ ରାଓ ପରିଚାଳନା କରିଥିଲେ। ଏଥିରେ କୋଲନରା ବ୍ଲକ ସାଂସଦ ପ୍ରତିନିଧି ଧବଳେଶ୍ବର ନାଇଡୁ, କୋଲନରା ବ୍ଲକର ବରିଷ୍ଠ କଂଗ୍ରେସ କର୍ମୀ ଜଗନ୍ନାଥ ପଣ୍ଡା, ବିଜୟ କୁମାର ପଟ୍ଟନାୟକ, ନୀଳମାଧବ ଉଲ୍ଲାକା, ଚନ୍ଦ୍ର ବେହେରା, କେ ସିଙ୍ଗପୁର ସାଂସଦ ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟା, ସୀମାଞ୍ଚଳ ତାଡିଙ୍ଗି, ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରି, କୈଳାସପୁର ସରପଞ୍ଚ ଅଭିରାମ ଉଲ୍ଲାକା, ଜିଲ୍ଲା ପରିଷଦ ସଭ୍ୟ ଆଶୁତୋଷ, କର୍ମୀ ସୁରେନ୍ଦ୍ର ତାଡିଙ୍ଗି, ସଂଜୟ ପାଣିଗ୍ରାହୀ, ରାମନାଗୁଡା ବ୍ଲକ କଂଗ୍ରେସ ସଭାପତି, ପଦ୍ମପୁର ବ୍ଲକ ସଭାପତି ଉପେନ୍ଦ୍ର ସାହୁ, ଡାମ୍ବୁରୁଧର ସାହୁ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ପ୍ରାୟ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
ରାୟଗଡା ପ୍ରତିନିଧି ଅମୂଲ୍ୟ ନିଶଙ୍କ