ତ୍ରୟମାସିକ ଶିଶୁ କିଶୋର ପତ୍ରିକା ‘ପରଜାପତି’ ଉନ୍ମୋଚିତ

ଜୟପୁର ୧୪/୧୧(ସଖପ୍ର): ଜୟପୁର ସହରରେ ତ୍ରୟମାସିକ ଶିଶୁ କିଶୋର ପତ୍ରିକା ‘ପରଜାପତି’ର ପ୍ରଥମ ବର୍ଷ ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟରେ ନିର୍ଦ୍ଦେଶିକା ତଥା ସୁସାହିତ୍ୟିକା କୁମୁଦମାଳା ମହାନ୍ତିଙ୍କ କରକମଳରେ ପତ୍ରିକାଟି ପାଠକାର୍ପିତ ହୋଇଥିଲା । ଏହି ଅବସରରେ ସମ୍ବାଦ ସାହିତ୍ୟଘର ସଭାପତି ଉଦୟ ଶଙ୍କର ଜାନି, ଉପସଭାପତି ଯଜ୍ଞେଶ୍ଵର ପଣ୍ଡା, ସମ୍ପାଦକ କବି ଅଶୋକ ମହାରଣା, ବରିଷ୍ଠ ସାହିତ୍ୟିକ ଶ୍ରୀନାଥ ମିଶ୍ର, ସାହିତ୍ୟିକ ଡ. ସୁରେଶ ଦାଶ, ନିର୍ବାଣ ସାହିତ୍ୟ ପରିଷଦର ସମ୍ପାଦକ ଚନ୍ଦ୍ରକାନ୍ତ ବିଶ୍ବାଳ, ସାହିତ୍ୟିକ ଡ. କମଳା କୃଷ୍ଣ ତ୍ରିପାଠୀ, ସନ୍ତୋଷ ମହାନ୍ତି, କବି ଅଶୋକ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ପତ୍ରିକାର ସମ୍ପାଦିକା ଯୁବ କବୟିତ୍ରୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ପତ୍ରିକା ପ୍ରକାଶନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଶ୍ରୀମତୀ ମହାନ୍ତି ସମ୍ପାଦିକାଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ‘ପରଜାପତି’ର ଉତ୍ତରୋତ୍ତର କାମନା କରିଥିଲେ। କାର୍ଯ୍ୟକ୍ରମରେ ନିରଞ୍ଜନ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |