November 18, 2025

Sabubarga Khabar

All category news

ଡାବୁଗାଁ ତହସିଲଦାର କାର୍ଯ୍ୟାଳୟ କିରାଣୀଙ୍କ ନାମରେ ଥାନାରେ ଏତଲା

ନବରଙ୍ଗପୁର(ସଖପ୍ର):  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତହସିଲ କାର୍ଯ୍ୟାଳୟରରେ ସରକାରଙ୍କ ରାଜସ୍ୱ ଟଙ୍କାକୁ ହରିଲୁଟ କରି ମାଲାମାଲ ହେଉଛନ୍ତି ସରକାରୀ କର୍ମଚାରୀ । ତାହା ପୁଣି ଏକ ଲକ୍ଷ କି ଦୁଇ ଲକ୍ଷ ନୁହଁ ପୁରା ୧ କୋଟି ୨୨  ଲକ୍ଷ ଟଙ୍କା ଆତ୍ମସାଦ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଚନ୍ଦନା ମଣ୍ଡଳଙ୍କ ନାମରେ ଡାବୁଗାଁ ଥାନାରେ ଏକ ଏତଲା ଦେଇଛନ୍ତି ତହସିଲଦାର। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏତଲାରେ ଦିଆଯାଇ ଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ସମୟରେ ଚଞ୍ଚକତା କରି ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହାତେଇ ନେଇଥିଲେ କିରାଣୀ ଚନ୍ଦନା ମଣ୍ଡଳ । ଏହାର ପ୍ରମାଣ ପାଇବା ପରେ ତହସିଲଦାର ଡାବୁଗାଁ ଥାନା ଯାଇ ମହିଳା କିରାଣୀଙ୍କ ନାଁରେ ଅଭିଯୋଗ ଦେଇଥିବା ଜଣାଯାଇଛି ।

ଏହାର ପ୍ରମାଣ ପାଇବା ପରେ ତହସିଲଦାର ମହିଳା କିରାଣୀଙ୍କ ନାଁରେ ଏତଲା ଦେଇଥିଲେ । ପରେ ଡାବୁଗାଁ ପୋଲିସ ଚନ୍ଦନା ମଣ୍ଡଳକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ପ୍ରଥମେ ଡାବୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି | ମାତ୍ର ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିବା ଯୋଗୁଁ ପୋଲିସ ହେପାଜତରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିବାନେଇ ପୋଲିସ ସୂଚନା ଦେଇଛି। ଏ ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ସୁଦ୍ଧା ମହିଳା କିରାଣୀ ଜଣଙ୍କ ପ୍ରାୟ 63 ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି | ଏହି ଅର୍ଥ ଅଧିକ ହେବାର ମଧ୍ୟ ସମ୍ଭାବନା ରହିଛି | ଯାହାର ତଦନ୍ତ ଏବେ ବି ଜାରି ରହିଛି | ଠକେଇ କାମରେ ମହିଳା କିରାଣୀଙ୍କ ସହ ଯେଉଁ ଯେଉଁମାନେ ସାମିଲ ଅଛନ୍ତି ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ଓ ବର୍ତ୍ତମାନ ମହିଳା କିରାଣୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭାସ୍କର ରଇତ । ଏବେ ପ୍ରଶ୍ନ ଉଠୁଛି ଯେ, ଏତେ ଟଙ୍କାର ଘୋଟାଲା କେତେ ଦିନରୁ ହୋଇଥିବା ବେଳେ ବିଭାଗୀୟ ଅଧିକାରୀମାନେ କେମିତି ଜାଣିପାରିଲେ ନାହିଁ ଏବଂ ଏଥିରେ ସେ ମହିଳାଙ୍କ ସହ ଅନ୍ୟ କେଉଁମାନେ ଅଛନ୍ତି ତାହା ଠିକରେ ତଦନ୍ତ କଲେ ଜଣାପଡିବ ବୋଲି ସାଧାରଣରେ ଦାବି ହେଉଛି ।

ପ୍ରତିନିଧି ରଞ୍ଜନ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.