ଟୋଲ ଗେଟରେ ତ୍ରୁଟି ପୂର୍ଣ୍ଣ ପରିଚାଳନା, ତାତିଲେ ଲୋକେ
କଟକ: ନ୍ୟାସନାଲ ହାଇୱେର ଟୋଲ ପ୍ଲାଜାରେ ଫାସଟାଗକୁ ବାଧ୍ୟତାମୂଳକ କରାଯାଇଛି । ମାତ୍ର ଟୋଲ ପ୍ଲାଜାରେ ଅନେକ ସମସ୍ୟାକୁ ନେଇ ଦେଖିବାକୁ ମିଳିଛି ଜନ ଅସନ୍ତୋଷ । ଏହାର କାରଣ ପାଲଟିଛି ଟୋଲ ପ୍ଲାଜାରେ ତ୍ରୁଟି ପୂର୍ଣ୍ଣ ପରିଚାଳନା । କଟକ ଜିଲ୍ଲାର ଟାଙ୍ଗୀ ନିର୍ଗୁଣ୍ଡିସ୍ଥିତ ଟୋଲ ଗେଟ ନିକଟରେ ଦେଖାଦେଇଛି ସମସ୍ୟା । ଟୋଲରେ ଠିକ୍ ସେ କାମ କରୁନାହିଁ ଫାସଟାଗ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଶହଶହ ଗାଡ଼ି ଟୋଲପ୍ଲାଜା ପାର ହେବା ପାଇଁ ଭିଡ ଲଗାଇଛନ୍ତି । ଏହାକୁ ନେଇ ନ୍ୟାସନାଲ ହାଇୱେକୁ ଲୋକେ ଶୁକ୍ରବାର ଅବରୋଧ କରିଥିଲେ ।
ସୂଚନା ଯେ, ଏହି ଟୋଲପ୍ଲାଜାରେ ବାରମ୍ବାର ବିଭିନ୍ନ ତ୍ରୁଟି ପାଇଁ ଲମ୍ବା ଲାଇନ ଲାଗୁଛି । ଏନେଇ ଟୋଲଗେଟରେ ଅନେକ ଥର ଦୁର୍ଘଟଣା ଘଟୁଛି । ଶୁକ୍ରବାର ଅପରାହ୍ନରେ ଟୋଲଗେଟ ନିକଟ ହରିଅନ୍ତା ଗ୍ରାମ ସମ୍ମୁଖରେ ପୁଣି ଦୁର୍ଘଟଣାରେ ଜଣେ ଆହତ ହୋଇଥିଲେ । ତିନିଦିନ ମଧ୍ୟରେ ୧୦ ଟି ଦୁର୍ଘଟଣା, ଯାହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ । ଏହାକୁ ନେଇ ଟୋଲ ଗେଟ ନିକଟରେ ଜାତୀୟ ରାଜପଥକୁ ଏକଘଣ୍ଟା ଧରି ରାସ୍ତା ବନ୍ଦ କରିଛନ୍ତି । ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାବୁଝି କରିବା ପରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା ।