01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ସହରରେ ସ୍ବଚ୍ଛଭାରତ ଅଭିଯାନର ବିକଳ ଚିତ୍ର

କୋରାପୁଟଜିଲ୍ଲା (ସଖପ୍ର): ଜୟପୁର ସହରରେ ସ୍ବଚ୍ଛଭାରତ ଅଭିଯାନର ବିକଳ ଚିତ୍ର ଦେଖିବାକୁ ମିଳିଛି। ଜୟପୁର ପୌରପାଳିକା ଅନ୍ତର୍ଗତ ପାରାବେଡା ଅରବିନ୍ଦ ନଗର ଦ୍ବିତୀୟ ଗଳିରେ ରାସ୍ତାର ଉପରେ ପାଣି ଜମି ରହୁଛି। ରାସ୍ତା ଉପରେ ପାଣି ଜମିଥିବା ସ୍ଥଳର ଦୈର୍ଘ୍ୟ ପ୍ରାୟ ୨୦ରୁ୨୫ ମିଟର ହେବ। ଏହି ରାସ୍ତାର ଦୁଇ ପାର୍ଶ୍ବରେ ନାଳ ରହିଛି କିନ୍ତୁ ପାଣି ନାଳରେ ଯିବା ବଦଳରେ ରାସ୍ତାରେ ଜମି ରହୁଛି। ସେହି ଦ୍ବିତୀୟ ଗଳିର ବାସିନ୍ଦା ଯିବା ଆସିବା କରିବା ସମୟରେ ବହୁତ ହଇରାଣ ହେଉଛନ୍ତି। ଦୀର୍ଘ ଦିନହେଲା ପାଣି ଜମି ରହିଥିବା ସ୍ଥାନକୁ ଦେଖିଲେ ଡେଙ୍ଗୁ ବ୍ୟାପିବାର ସମ୍ଭାବନା ଅଛି ବୋଲି ଅନୁମାନ କରାଯାଉଛି। ଆଜକୁ ଆଠ ମାସ ପୂର୍ବରୁ ପୌରପାଳିକା ଏହି ରାସ୍ତାର ଗୋଟିଏ ପାର୍ଶ୍ବରେ ନୂତନ ନାଳ ନିର୍ମାଣ କରିଥିଲା। ନାଳ ନିର୍ମାଣ ହେବା ପରଠାରୁ ରାସ୍ତା ଉପରେ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି। ଗତ ଏକ ମାସ ପୂର୍ବରୁ ଏହି ଗଳିରେ ପାଣି ଜମି ରହିବା ସ୍ଥାନ ନିକଟ ଘରର ଜଣେ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଶବକୁ ନେବା ପାଇଁ ମଟର ଯାନଯୁକ୍ତ ସ୍ବର୍ଗରଥ ଭଡାରେ ଅଣାଯାଇଥିଲା। ରାସ୍ତାରେ ପାଣି ଜମି ରହିଥିବା ଯୋଗୁଁ ଘର ନିକଟକୁ ସ୍ବର୍ଗରଥ ଯାଇ ନଥିଲା ଓ ପ୍ରାୟ ୫୦ମିଟର ଦୂରରେ ରହିଥିଲା। ଘର ଭିତରୁ ସ୍ବର୍ଗରଥ ନିକଟକୁ ମୃତକଙ୍କ ଶରୀରକୁ ବୋହିନେବାକୁ ସଂପର୍କୀୟମାନେ ନାକେଦମ ହୋଇଥିବା ଦେଖିବାକୁ ମିଳିଥିଲା। ପୌରପାଳିକାର ନିର୍ମାଣ କାର୍ଯ୍ୟକୁ ସାହି ବାସିନ୍ଦା ସ୍ବାଗତ କରୁଥିବା ବେଳେ ନିମ୍ନମାନର ନିର୍ମାଣ ଓ ତୃଟିଯୁକ୍ତ ନକ୍ସା ଯୋଗୁଁ ଏଭଳି ଘଟିଥିବା ସାହିବାସିନ୍ଦା ପ୍ରକାଶ କରିଛନ୍ତି। ସାହି ବାସିନ୍ଦା ପୌରପାଳିକା ଅଫିସକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ପୌରକର୍ମଚାରୀ କୌଣସି ପ୍ରକାରେ ଏହାର ସମାଧାନ କରୁ ନଥିବା ସାହି ବାସିନ୍ଦା ଗଣମାଧ୍ୟମ ସଂସ୍ଥା ନିକଟରେ କହିଛନ୍ତି।

ଜୟପୁରରୁ ସନ୍ତୋଷ କୁମାର ପାତ୍ରଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *