12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ସହରରେ ପୌରପାଳିକାର ଦୋକାନଗୃହ ଆବଣ୍ଟନ ଓ ଷ୍ଟଲଭଡା ଆଦାୟରେ ହେରଫେର

କୋରାପୁଟଜିଲ୍ଲା: ଜୟପୁର ସହର ଅବିଭକ୍ତ କୋରାପୁଟଜିଲ୍ଲାର ପ୍ରମୁଖ ବ୍ୟବସାୟ କେନ୍ଦ୍ର। ଏହି ସହରରେ ବ୍ୟବସାୟୀକ ଦୃଷ୍ଟିକୋଣରୁ ପୌରପାଳିକା ବ୍ୟବସାୟ ପାଇଁ ବିଭିନ୍ନ ସମୟରେ ଦୋକାନଗୃହ ନିର୍ମାଣ କରି ହିତାଧିକାରୀଙ୍କୁ ଆବଣ୍ଟନ କରିଥାଏ। ଜୟପୁର ସହରରେ ଆଜି ପର୍ଯ୍ୟନ୍ତ ପ୍ରାୟ ୮୦୦ ଦୋକାନଗୃହ ବ୍ୟବସାୟିକ ଭିତ୍ତିରେ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି। ଏହି ଦୋକାନଗୃହ ଆବଣ୍ଟନ ସମୟରେ ବିଭିନ୍ନ ଦଳର ଦଳୀୟକର୍ମୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ଅଧାରୁ ଅଧିକ ଷ୍ଟଲ ରହିଛି। ଷ୍ଟଲ ଗୁଡିକୁ ପୌରପାଳିକା ଭଡା ସୂତ୍ରରେ ଦେବା ସମୟରେ ଚୂକ୍ତିନାମା ସାକ୍ଷର ହୋଇଥାଏ। ଏହି ଚୂକ୍ତିନାମା ଅନୁସାରେ ପ୍ରତ୍ୟେକ ଦୋକାନଗୃହନେବା ବ୍ୟକ୍ତି ପ୍ରତ୍ୟେକ ମାସ ଭଡା ପୈଠ କରିବେ। ଦୁଇମାସରୁ ଅଧିକ ସମୟ ଭଡା ନ ଦେଲେ ପୌରପାଳିକା ଦୋକାନୀଙ୍କ ଠାରୁ ଦୋକାନଗୃହ ଫେରାଇ ନେଇଯିବ। ପ୍ରତ୍ୟେକ ୧୧ମାସକୁ ଥରେ ଚୂକ୍ତିପତ୍ର ନବୀକରଣ ହେବ। ଦୋକାନ ନେଇଥିବା ବ୍ୟକ୍ତି ନିଜେ ବ୍ୟବସାୟ କରିବେ। ଭୁଲରେ ମଧ୍ୟ କାହାକୁ ଭଡା ଦେଇ ପାରିବେ ନାହିଁ। କିନ୍ତୁ ୮୦୦ଷ୍ଟଲର ବକେୟା ଭଡା ବାବଦରେ ପ୍ରାୟ ସାଢେ ତିନିକୋଟି ଟଙ୍କା ପୌରପାଳିକାର ଦୋକାନୀଙ୍କ ଉପରେ ବାକି ପଡିଛି। ଏହି ଟଙ୍କା ପୌରପାଳିକାର କର୍ମଚାରୀ ଆଦାୟ କରିପାରୁନାହାଁନ୍ତି। ଦୋକାନଗୃହ ଆବଣ୍ଟନ ସମୟରେ ବିଭିନ୍ନ ଗଳାବାଟ ଦେଇ ଜଣ ଜଣଙ୍କ ନାମରେ ଏକାଧିକ ଷ୍ଟଲ ପୌରପାଳିକା ତରଫରୁ ଭଡା ଦିଆ ଯାଇଛି। ଏହି ଧନୀ ଶ୍ରେଣୀର ବ୍ୟକ୍ତିମାନେ ଅନ୍ୟବ୍ୟକ୍ତିଙ୍କୁ ଦୋକାନଗୃହକୁ ଭଡାଦେଇ ଦଶଗୁଣ ଅଧିକ ଟଙ୍କା ଭଡାଆକାରରେ ନେଉଛନ୍ତି। ଜଣେ ଷ୍ଟଲନେଇ ଅନ୍ୟକୁ ବେସରକାରୀ ହିସାବରେ ବିକ୍ରି କରିପାରୁଛି। ଏହି ବିକ୍ରି ସମୟରେ ପୌରପାଳିକା କର୍ମଚାରୀ ପକୁଡି ଖର୍ଚ୍ଚ ବାବଦରେ ଲକ୍ଷାଧିକ ଟଙ୍କା ନେଇ ଭଡାସୂତ୍ରେ ମାଲିକାନା ଅଦଳ ବଦଳ କରୁଛନ୍ତି।ଏହି ଦୋକାନଗୃହ ଆବଣ୍ଟନ ଓ ଆର୍ଥିକ ଅନିୟମିତତା ଦୁର୍ନୀତି ବିଷୟରେ ଯୁବନେତା ରବିନ୍ଦ୍ର ମହାପାତ୍ର ୧୪ସେପ୍ଟେମ୍ବର ୨୦୧୯ ମସିହାରେ ପୌର ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇ ଥିଲେ ଯେଉଁମାନେ ଗଳାବାଟ ଦେଇ ଷ୍ଟଲ ହାତେଇଛନ୍ତି ଏବଂ ଯେଉଁମାନେ ଚୂକ୍ତିନାମା ଅନୁସାରେ ଅବୈଧ ସେମାନଙ୍କଠାରୁ ଷ୍ଟଲ ଫେରାଇ ଆଣି ସହରର ବେକାର ଯୁବକମାନଙ୍କୁ ଦେଲେ ବେକାରୀ ସମସ୍ୟା ଦୂର ହେବ। ପୌରପାଳିକା ତରଫରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆ ଯାଇ ନଥିବାରୁ ମାନ୍ୟବର ହାଇକୋର୍ଟ କଟକଙ୍କ ଠାରେ ରିଟ ପିଟିସନ ଦାଖଲ କରିଥିଲେ। ହାଇକୋର୍ଟରୁ ଜୟପୁର ପୌରଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଆସିବାରୁ ପୌରପାଳିକା ତରଫରୁ ବକେୟା ପଡିଥିବା ସାଢେ ତିନିକୋଟି ଟଙ୍କାରୁ ୬୫ଲକ୍ଷ ଟଙ୍କା ଆଦାୟ କରାଗଲାଣି। ଆସନ୍ତା ଦିନରେ ଷ୍ଟଲ ଦୁର୍ନୀତିର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଏକ ହଜାରରୁ ଉର୍ଦ୍ଧ୍ବ ବେକାରୀ ଯୁବକଙ୍କୁ ନେଇ ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଦେବି ବୋଲି ଯୁବନେତା ରବିନ୍ଦ୍ର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *