ଜୟପୁର ସଦରଥାନା ଶୌଚାଳୟରେ ଅଭିଯୁକ୍ତର ଆତ୍ମହତ୍ୟା

କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ଗତ କାଲି ବିଳମ୍ବିତ ରାତିରେ ଜୟପୁର ସଦର ଥାନା ଶୌଚାଳୟରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ରାଜସ୍ଥାନର ଗୋପାଳ ରାମ। ଦୁଇ ଦିନ ତଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ପୋଲିସ ଗୋପାଳକୁ ଗିରଫ କରିଥିଲେ। ଗତ ଶନିବାର ଦିନ ଗୋପାଳ ଏକ ଟ୍ରକ ଯୋଗେ କୋରାପୁଟ ଜିଲ୍ଲା ପାଡୁଆ ଠାରୁ ଆଠ କୁଇଣ୍ଟାଲ ଗଞ୍ଜେଇ ରାଜସ୍ଥାନକୁ ଚାଲାଣ କରୁଥିବା ସମୟରେ ବିଶ୍ଵସ୍ତ ସୁତ୍ରରୁ ସୂଚନା ପାଇ ଜୟପୁର ସଦର ପୋଲିସ ଉକ୍ତ ଟ୍ରକକୁ କାବୁ କରିବା ସହ ଗୋପାଳ ରାମକୁ ଗିରଫ କରିଥିଲେ। ତେବେ ଶନିବାର ବିଳମ୍ବିତ ରାତ୍ରିରେ ସେଣ୍ଟ୍ରିକୁ କହି ଶୌଚାଳୟ ଯାଇଥିବା ସମୟରେ ବେଡସିଟ ଚିରି ବେକରେ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୁତ୍ରରୁ ପ୍ରକାଶ। ମୃତ ଶରୀରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ ଟିମ ସଦର ଥାନା ପହଞ୍ଚି ତଦନ୍ତ କରୁଥିବା ଏସଡିପିଓ ବରୁଣ ଗୁଣ୍ଠପାଲି କହିଛନ୍ତି। ତାହା ସହ ମୃତ ଗୋପାଳ ପରିବାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ପରିବାର ସଦସ୍ୟ ଆସି ପହଞ୍ଚିଲେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁଚନା ଦେଇଛନ୍ତି।
ତା ୩୧/୦୮ : ଉକ୍ତ ଘଟଣାକୁ କେନ୍ଦ୍ର କରି ଡିସିଓ ଓ ସେଂଟ୍ରିଙ୍କୁ ନିଲମ୍ବନ କରାଯାଇଥିବାବେଳେ ଭାରପ୍ରାପ୍ତ ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ଙ୍କୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟକୁ ଫେରାଇ ଅଣାଯାଇଥିବା ଏସପି ମୁକେଶ କୁମାର ଭାମୁ କହିଛନ୍ତି । ଉକ୍ତ ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଲକ୍ଷ୍ମୀପୁର ଏସଡିପିଓ ଅଶ୍ୱିନୀ କୁମାର ନାୟକଙ୍କୁ ଦିଆଯାଇଥିବା ଏସପି ସୂଚନା ଦେଇଛନ୍ତି। ଏଥିସହିତ ତଦନ୍ତକୁ ସ୍ୱଚ୍ଛ, ନିରପେକ୍ଷ କରିବା ପାଇଁ ଭାରପ୍ରାପ୍ତ ଥାନାଧିକାରୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ନିଆଯାଇଛିି। ତଦନ୍ତ ଶେଷ ହେବାଯାଏ ଇନ୍ସପେକ୍ଟର ଆର୍ ଏନ୍ ମାଝୀ ଜୟପୁର ସଦର ଥାନା ଦାୟିତ୍ୱ ତୁଲାଇବେ ବୋଲି ଏସପି କହିଛନ୍ତି।