ଜୟପୁର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଶୁଖିଆଗୁଡା ଗ୍ରାମବାସୀମାନଙ୍କ ଦାବୀପତ୍ର ପ୍ରଦାନ

ଜୟପୁର (ସଖପ୍ର): ଆଜି ଜୟପୁର ବ୍ଲକ୍ ଅଫିସ ଘେରାଉ କରିଥିଲା “ୟୁଥ୍ ଅର୍ଗାନାଇଜେସନ କୋରାପୁଟ” । ଆବାହକ ରବିନ୍ଦ୍ର ମହାପାତ୍ରଙ୍କ ତତ୍ତ୍ବାବଧାନରେ ଟାଙ୍କୁଆ ପଞ୍ଚାୟତ ଶୁଖିଆଗୁଡା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜୟପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ନାରାବାଜୀ ଦେଇଥିଲେ। ଏହି ଗ୍ରାମରେ ୬୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଥିବା ବେଳେ ଏଠାରେ ରାସ୍ତାଘାଟ, ଶୌଚାଳୟ ଓ ଡ୍ରେନ ନାହିଁ। ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷା ଦିନରେ ଗ୍ରାମବାସୀ ହଇରାଣ ହେଉଛନ୍ତି। ସରକାରଙ୍କ ଆବାସ ଯୋଜନା ଏହି ଗ୍ରାମବାସୀଙ୍କ ପାଇଁ ସାତସପନ ହୋଇଛି। ସରକାରୀ ଯୋଜନା ମାଳମାଳ ଥିବାବେଳେ ଜୟପୁର ସହରକୁ ଲାଗିକରି ଥିବା ଏହି ଗ୍ରାମବାସୀଙ୍କ ପ୍ରତି ପ୍ରଶାସନ ଅଣଦେଖା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଆସିଥିବା ଗ୍ରାମବାସୀ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି ଓ ଅଧିକାରୀ ଖୁବଶିଘ୍ର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୃତି ଦେଇଛନ୍ତି।
ଜୟପୁରରୁ ମଞ୍ଜିତ ସିଂ